ଛେଣ୍ଡିପଦା – ଅନୁବୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ । ମାଡ଼ରେ ଜରପଡା ଥାନାର ଜଣେ କନେଷ୍ଟବଲଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ ଜଣେ ଏସଆଇ ଆହତ ହୋଇଛନ୍ତି । ଏପରିକି ହକି ଷ୍ଟିକରେ ମାଡ଼ ମାରିଥିବା ବେଳେ ପୁଲିସ ଯାଇଥିବା ମୋଟର ସାଇକେଲକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଜରପଡା ଷ୍ଟେସନରେ ଟ୍ରେନ ମାଧ୍ୟମରେ କୋଇଲା ପରିବହନକୁ ନେଇ ଦୀର୍ଘ ଦିନ ହେଲା ୟିସୁଜା ଓ ମେଟା ନାମକ ଦୁଇ କମ୍ପାନୀ ମଧ୍ୟରେ ବିବାଦ ଲାଗିରହିଛି । ମେଟା କମ୍ପାନୀ କିଛି ଘରୋଇ ଜାଗାକୁ କିଣି ରାସ୍ତା ନିର୍ମାଣ କରୁଥିଲା। ପରେ ସେହି ଜାଗା ଉପରେ ୟିସୁଜା କମ୍ଫାନୀ ରାସ୍ତା ନିର୍ମାଣ କରିବାକୁ ଯାଇଥିଲା । ତେବେ ଜାଗା ଦେଇଥିବା ଲୋକ ବିକ୍ରି କରିଥିବା ଜାଗାକୁ ମାପଚୁପ କରି ନେବା ପାଇଁ କହିବା ପରେ ବିବାଦ ଆରମ୍ଭ ହୋଇଥିଲା । ମେଟା କମ୍ପାନୀ ଜାଗା ମାପିବା ପାଇଁ ଆବେଦନ କରିଥିବା ବେଳେ ୟିସୁଜା କମ୍ପାନୀ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରିଥିଲା । ଯେଉଁଥିପାଇଁ ମେଟା କମ୍ପାନୀର ଲୋକ ରାସ୍ତା ଖୋଳି ଦେଇଥିଲେ । ପରେ ୟିସୁଜା କମ୍ପାନୀର ଲୋକ ପୁଣି ରାସ୍ତା ପୋତି ଦେଇଥିଲେ । ଏହାପରେ ମାମଲା ଥାନାକୁ ଯାଇଥିଲା ।
ତେବେ ଆଜି ସନ୍ଧ୍ୟାରେ ଜରପଡା ଥାନାର ଏସଆଇ ଲଳିତ ମୋହନ ବିଶ୍ୱାଳ ଓ କନେଷ୍ଟବଲ ରମାକାନ୍ତ ମାଝୀ ମୋଟର ସାଇକେଲରେ ଦୁର୍ଗାପୁର ଅଞ୍ଚଳରୁ ଫେରୁଥିବା ବେଳେ କୋଇଲା ଡିପୋକୁ ନେଇ ହୋଇଥିବା ବିବାଦ ସ୍ଥାନକୁ ବୁଲିବାକୁ ଯାଇଥିଲେ । ସେଠାରେ ଏକ ମେସିନ ସହାୟତାରେ କାମ ହେଉଥିବା ଦେଖି ଉଭୟ ପଚରାଉଚରା କରୁଥିଲେ । ସେହି ସମୟରେ ହଠାତ କିଛି ଯୁବକ ତାଙ୍କୁ ହକି ଷ୍ଟିକରେ ଆକ୍ରମଣ କରି ଦେଇଥିଲେ । ଦୁର୍ବୃତ୍ତ ମାନଙ୍କ ଆକ୍ରମଣ ଫଳରେ ଏସଆଇ ଲଳିତ ମୋହନ ବିଶ୍ୱାଳ ଆହତ ହୋଇଥିବା ବେଳେ କନେଷ୍ଟବଳ ରମାକାନ୍ତ ମାଝୀଙ୍କ ମୁଣ୍ଡ ଫାଟି ଯାଇଛି । ଖବର ପାଇଁ ଜରପଡା ଥାନା ଅଧିକାରୀ ଓ ପୁଲିସ କର୍ମଚାରୀ ମାନେ ପହଁଚି ଆହତ ଦୁଇ ପୁଲିସ କର୍ମଚାରୀଙ୍କ ଚିକିତ୍ସା କରାଇବା ସହିତ ଘଟଣାର ଛାନଭିନ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ମେଟା କମ୍ପାନୀର ୭ ରୁ ୮ଜଣ କର୍ମଚାରୀ ମାଡ଼ ମାରିଥିବା ଜଣା ପଡିଥିବା ବେଳେ ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ , ଜରପଡା ଅଞ୍ଚଳରେ ପ୍ରାୟ ଚାରୋଟି କମ୍ପାନୀ କୋଇଲା ଡ଼ିପୋ , ୱାସେରୀ ଆଦି କରିବାକୁ ଯାଉଥିବା ବେଳେ କମ୍ପାନୀମାନେ ଜାଣିଶୁଣି କିଛି ଅସାମାଜିକ ଲୋକଙ୍କୁ କମ୍ପାନୀର କାମ କରିବାକୁ ଦାୟିତ୍ୱ ଦେଇଛି । ଯେଉଁଥିପାଇଁ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଶାନ୍ତ ଜରପଡା ଅଞ୍ଚଳ ଅଶାନ୍ତ ହେବାର ଆଶଙ୍କା ରହିଛି ।

