ଅନୁଗୁଳ – ଅନୁଗୁଳ ପୌରପାଳିକା ଅଧୀନରେ ଥିବା ବ୍ରାହ୍ମଣୀଦେଇପଡ଼ାରେ ଦୀର୍ଘ ପଚାଶ ବର୍ଷ ହେଲା ବସବାସ କରି ଆସୁଥିବା ୫ ପରିବାରକୁ ଉଚ୍ଛେଦ ପାଇଁ ପୌରପାଳିକା ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ଘର ଉଚ୍ଛେଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି ବ୍ରାହ୍ମଣୀଦେଇପଡ଼ାର ୫ ପରିବାର ଲୋକ।
ସୂଚନା ଅନୁସାରେ , ବ୍ରାହ୍ମଣୀଦେଇପଡ଼ାରେ ପ୍ରାୟ ପଚାଶ ବର୍ଷ ହେବ କୋଡ଼ିଏରୁ ଅଧିକ ପରିବାର ରହି ଆସୁଛନ୍ତି । କିଛି ଦିନ ତଳେ ଘର ପାଇଁ ଜାଗା ଦିଆଯିବ କହି ପୌରପାଳିକାର କିଛି।କର୍ମଚାରୀ ଘରର ମହିଳା ମାନଙ୍କ ଠାରୁ ଦସ୍ତଖତ ନେଇ ଆସିଥିଲେ ବୋଲି ମହିଳାମାନେ କହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ୫ ପରିବାରଙ୍କ ଘର ଉଚ୍ଛେଦ ପାଇଁ ନୋଟିସ ପଠାଇଥିଲା ପୌରପାଳିକା । ଘର ପାଇଁ ଜାଗା ଦେଇଦେବୁ ମିଛରେ ଆମ ପାଖରୁ ଦସ୍ତଖତ ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗକାରିମାନେ ଆର.ଡି.ସି.ଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆମକୁ ଉଛେଦ ପୂର୍ବରୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏ ଉଚ୍ଛେଦ ଘଟଣା ବିଷୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପୋଖରୀ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରିବା ପାଇଁ ୫ ପରିବାର ପୋଖରୀ ହୁଡ଼ାରେ ରହୁଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି କହିଛନ୍ତି ।

