ବନବିଭାଗ ମାରିଦେଲା କଲରାପତରିଆ ବାଘ !

ଅନୁଗୁଳ – ବାରହା ଫାଶରେ ପଡ଼ିଲା କଲରାପତରିଆ ବାଘ । ଉଦ୍ଧାର କଲା ବନ ବିଭାଗ । ହେଲେ ବନ ବିଭାଗର ଅବହେଳା ଆଉ ଅପାରଗତା ଯୋଗୁଁ ବାଘର ମୃତ୍ୟୁ ହୋଇଗଲା । ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଡିମିରିପାଳ ଜଙ୍ଗଲରେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁସାରେ , ସୋମବାର ରାତିରେ ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ଜାଲରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା । ବିଳମ୍ବିତ ରାତିରୁ ବାଘଟି ଫାଶରେ ପଡି ଚିତ୍କାର କରିଥିଲା । ହେଲେ ମଙ୍ଗଳବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରାୟ ୧୦ ଟା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଏକ ଘଣ୍ଟା ତଦାରଖ କରିବା ପରେ ଟ୍ରାଙ୍କୁଲାଇଜ କରି ଫାଶରୁ ବାଘଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ବାଘଟିକୁ କୁଳାସିଙ୍ଗା ନର୍ସରୀକୁ ନିଆ ଯାଇଥିଲା । ସେଠାରେ ବାଘଟିର ସ୍ୱାସ୍ଥ୍ୟ ଅବସ୍ଥା ଜାଞ୍ଚ କରିବା ସହ ଚିକିତ୍ସା କରାଯାଇଥିଲା । ହେଲେ ମଧ୍ୟାହ୍ନରେ ବାଘଟିର ମୃତ୍ୟୁ ହୋଇ ଯାଇଥିଲା ।

ବାଘର ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାଗ ଅବାଧ ଜନ୍ତୁ ଶିକାର ପାଇଁ ପେଟ୍ରୋଲିଂ କରିବା ସହ ୱାଚର ମାନଙ୍କୁ ନିଯୁକ୍ତି କରିଛି । ଏହା ସତ୍ୱେ ଶିକାରୀ କିଭଳି ଫାଶ ପକାଇଲେ ବୋଲି ସନ୍ଦେହ ପ୍ରକଟ କରାଯାଇଛି । ଦ୍ଵତୀୟରେ ରାତିରୁ ବାଘ ଫାଶରେ ପଡି ଗର୍ଜନ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ କିଭଳି ଜାଣି ପାରିଲେ ନାହିଁ। ଜାଣିବା ପରେ ମଧ୍ୟ ତତ୍ପରତା ନ ଦେଖାଇ ସକାଳ ୧୦ ଟା ପରେ କାହିଁକି ଘଟଣା ସ୍ଥଳରେ ପହଞ୍ଚିଲେ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବାଘକୁ ଟ୍ରାଙ୍କୁଲାଇଜ କରିବା ପରେ ସଠିକ ପରିମାଣର ନିଶା ଔଷଧ ଡ଼ିଆ ଯାଇଥିଲା ତ ? ବାଘକୁ ଟ୍ରାଙ୍କୁଲାଇଜ କରିବା ବେଳେ ବାଘଟି ସୁସ୍ଥ ଥିବା ଜଣା ପଡୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଯୋଗୁଁ ବାଘକୁ ସଠିକ ଭାବରେ ଚିକିତ୍ସା କରାଯାଇ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି । ବାଘ ମୃତ୍ୟୁ ପରେ ଏହାର ସଠିକ ତଦନ୍ତ କରାଯାଇ ଫାଶ କିଏ ପକାଇଥିଲା ତାକୁ ଠାବ କରିବାର ଆବଶ୍ୟକ ଥିବା ବେଳେ ବାଘ ମୃତ୍ୟୁ ପଛର ପ୍ରକୃତ କାରଣ ବାହାର କରିବାକୁ ଦାବି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page