ଅନୁଗୁଳ – ଅନୁଗୁଳ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିବା ବେଳେ ଏକ ଅପରାଧି ଗ୍ୟାଙ୍ଗକୁ ଅନୁଗୁଳ ପୁଲିସ ଧରିବାରେ ସଫଳ ହୋଇଛି ।ବିଳମ୍ବିତ ରାତିରେ କାର୍ବନ ଫ୍ୟାକ୍ଟରୀ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଧରାପଡ଼ିଥିବା ୫ ଜଣ ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କୃତଗିବା ସମୟରେ ,କାର୍ବନ ଫ୍ୟାକ୍ଟରୀ ଅଞ୍ଚଳରେ କିଛି ଯୁବକ ଏକତ୍ରିତ ହୋଇ କିଛି ଯୋଜନା କରୁଥିବା ସୂଚନା ମିଳିଥିଲା । ସୂଚନା ପାଇ ପୁଲିସର ଏକ ଟିମ ପହଞ୍ଚି ଯୁବକଙ୍କୁ କାବୁ କରି ଜାଞ୍ଚ କରିଥିଲା । ଜାଞ୍ଚ ବେଳେ , ମଦ୍ୟପାନ କରି ଅସ୍ତ୍ରଶସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ଏହା ଜାଣି ପୁଲିସ ଗୋପୀନାଥ ନାୟକ, ତୋଫାନ ଦେହୁରୀ, ଜ୍ଞାନରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ଓଝା ଓ ଗୁଲସନ ଦେହୁଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କ ଠାରୁ ଭୁଜାଲି, କଟୁରି, ଚାପଡ଼, ଲଙ୍କାଗୁଣ୍ଡ, ମଦ ବୋତଲ, ଗ୍ଲାସ, ଏବଂ ୪ଟି ମୋବାଇଲ ଫୋନ ଜବତ କରାଯାଇଛି ।
ଗିରଫ ହୋଇଥିବା ଯୁବକମାନେ ପୂର୍ବରୁ ବହୁ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସହ ସହର ଓ ସହର ଉପକଣ୍ଠ ଅଞ୍ଚଳରେ ଲୁଟ୍ ଓ ଡକାୟତି କରିବା ପାଇଁ ଗ୍ୟାଙ୍ଗ ଗଠନ କରିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ତୋଫାନ ଦେହୁରୀ ଓ ସୌମ୍ୟ ରଞ୍ଜନ ଓଝା ପୂର୍ବରୁ ଏକାଧିକ ଲୁଟ୍, ମାରପିଟ୍ ଓ ଅପରାଧିକ ମାମଲାରେ ସଂପୃକ୍ତ ଥିବା ପୁଲିସ ପାଖରେ ରେକର୍ଡ ରହିଛି । ଏହି ଦୁଇଜଣଙ୍କ ନେତୃତ୍ୱରେ ଅନ୍ୟ ଯୁବକମାନେ ଏକତ୍ରିତ ହୋଇ ନୂଆ ଗ୍ୟାଙ୍ଗ ଗଠନ କରିଥିଲେ ବୋଲି ଜଣା ପଡିଛି । ଉଭୟଙ୍କ ନାମରେ ୧୫ରୁ ଅଧିକ ସଂଗୀନ ଅଭିଯୋଗ ରହିଥିବା ସୂଚନା ମିଳିଛି ।

