ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଳକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ କରାଗଲେ କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ତିବ୍ର ବିରୋଧ କରାଯିବା ନେଇ ନିଷ୍ପତି ହୋଇଛି । ଯଦି ବଳପୁର୍ବକ କୋଇଲା ପରିବହନ କରିବା ପାଇଁ ମସୁଧା କରାଯାଏ ତେବେ କୋଶଳା ଗ୍ରାମପଂଚାୟତର ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଜନସାଧାରଣ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଠାରେ ଆବେଦନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି ।

ସୁଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆଗାମୀ ଦିନରେ କୋଇଲା ଖଣିର ହବରେ ପରିଣତ ହେବାକୁ ଯାଉଥିବା ବେଳେ, କିଛି କୋଇଲା ଖଣି କାର୍ଯ୍ୟକ୍ଷମ ହୋଇ କୋଇଲା ପରିବହନ କରାଯାଉଛି । ଏପରିକି ଛେଣ୍ଡିପଦା ସ୍ଥିତ ନୈନୀ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ କୋଇଲା ପରିବହନ ହୋଇପାରିନାହିଁ । ଉକ୍ତ କୋଇଲା ଖଣିରୁ କୋଇଲା ପରିବହନ ପାଇଁ କୋଶଳା ଦେଇ ୬୩ନଂ ରାଜ୍ୟରାଜପଥ ବ୍ୟବହାର ନିମନ୍ତେ ମସୁଧା ଚଳାଇଥିବା ଖବର ପାଇ କୋଶଳା ଗ୍ରାମବାସୀ ମାନେ ଚିନ୍ତିତ ହୋଇ ପଡିଛନ୍ତି । ଏନେଇ ଗ୍ରାମରେ ବାରମ୍ବାର ବୈଠକ କରାଯିବା ସହିତ ଉକ୍ତ କୋଇଲା ଖଣିର କୋଇଲା ପରିବହନ ନିମନ୍ତେ ୬୩ନଂ ରାଜ୍ୟ ରାଜପଥ ବ୍ୟବହାର କରିପାରିବ କି ନାହିଁ ସେନେଇ ଗ୍ରାମବାସୀଙ୍କ ପକ୍ଷରୁ ସୁଚନା ଅଧିକାର ଆଇନରେ ପ୍ରଦୁଷଣ ବିଭାଗ,ଆର ଏଣ୍ଡ ବି ଏବଂ ପରିବହନ ବିଭାଗକୁ ତଥ୍ୟ ମଗାଯାଇଥିଲା । ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କ ପରିବେଶ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଦ୍ୱାରା (ଆଇଏ/ଓଆର/ସିଏମଆଇଏନ/୧୦୨୭୯୪/୨୦୧୯,ତା.୧୩ମଇ ୨୦୨୧) ଅନୁଯୟୀ କୌଣସି ପରିବହନ ପାଇଁ ଅନୁମତି ନଥିବା ଜାଣିବାକୁ ପାଇଥିଲେ । କେବଳ ଜରପଡା ରେଲୱେ ସାଇଡିଂ ମାଧ୍ୟମରେ କୋଇଲା ପରିବହନ ଅନୁମତି ରହିଥିଲା । ଏହା ସତ୍ୱେ ମଧ୍ୟ କିଛି ମୁଷ୍ଟିମେୟ ଲୋକଙ୍କ ସାହାଯ୍ୟରେ ଖଣି କତୃପକ୍ଷ ଉକ୍ତ ରାସ୍ତା ଦେଇ କୋଇଲା ପରିବହନ କରିବା ନେଇ ମସୁଧା ଚଳାଇଚନ୍ତି । ଏନେଇ ଗ୍ରାମ ସଭାପତି କୁତାର୍ଥ ଦେହୁରୀଙ୍କ ନେତୃତ୍ୱରେ ଗ୍ରାମରେ ଏକ ଜରୁରୀ ବୈଠକ ବସିବା ସହିତ ବୈଠକରେ କୋଇଲା ପରିବହନକୁ ସମ୍ପୁର୍ଣ୍ଣ ବିରୋଧ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏଥି ସହିତ କୋଇଲା ଯଦି ବଳ ପୁର୍ବକ ପରିବହନ କରିବା ପାଇଁ ମସୁଧା କରାଯାଏ ତେବେ କୋଶଳା ଗ୍ରାମପଂଚାୟତର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଠାରେ ଆବେଦନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଲା ଯେ କୋଇଲା ପରିବହନ ହେଲେ ଯେଉଁ ପ୍ରଦୁଷଣ ହେବ ସେଥିରେ ମରିବା ଅପେକ୍ଷା ରାଷ୍ଟ୍ରପତିଙ୍କ ଠାରେ ଇଛାମୃତ୍ୟୁ ଆବେଦନ କରି ମରିବା ବରଂ ଭଲ । କୋଶଳା ଗ୍ରାମ ପଞ୍ଚାୟତ ସରପଂଚ ଉଦିତ ପ୍ରଧାନ କହିଛନ୍ତି କୋଇଲା ଖଣିକୁ ଆମେ ବିରୋଧ କରୁନାହିଁ କିନ୍ତୁ ଗ୍ରାମ ମଧ୍ୟ ଦେଇ କୋଇଲା ଗାଡି ପରିବହନ ନକରି ବାଇପାସ ରାସ୍ତା କିମ୍ବା ରେଳ ଦ୍ୱାରା କୋଇଲା ପରିବହନ କରାଯାଉ ବୋଲି ପ୍ରକାଶ କରିଛନ୍ତି । ଗ୍ରାମ ବୈଠକରେ ନିଷ୍ପତି ଅନୁଯାଇ ଗ୍ରାମ ଭିତରେ ଭାରିଯାନ ଚଳାଚଳ କରାଇ ଦେବୁ ନାହିଁ । ଆବଶ୍ୟକ ପଡିଲେ ସ୍କୁଲ କଲେଜ ବନ୍ଦ କରି ୧୫ ହଜାରରୁ ଉର୍ଦ୍ଧ ଜନସାଧାରଣ ରାଜ ରାସ୍ତାରେ ଧାରଣା ଦେବା ସହିତ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଠାରେ ଆବେଦନ କରିବୁ ବୋଲି ଶିଦ୍ଧାର୍ଥ ଶଙ୍କର ସାହୁ ପ୍ରକାଶ କରିଛନ୍ତି ।


