ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ା ଗାଡ଼ିଆ ନିକଟରେ ଥିବା ଏକ ବିଅର ବାର ଠାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇ ଯୁବକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ ମାଟିଆସାହି ଅଞ୍ଚଳର ତପନ ନାୟକଙ୍କ ପୁଅ ସଂଗ୍ରାମ ନାୟକ ଏବଂ ଅନ୍ୟ ଜଣଙ୍କ ହେଲେ ନୂଆମୌଜା ଅଞ୍ଚଳର ମୁରଲୀ ନାୟକଙ୍କ ପୁଅ ସୁଶୀଲ ନାୟକ ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ବେଳେ କରଡ଼ାଗାଡ଼ିଆ ଗାଁ ନିକଟରେ ଥିବା ଏକ ବିଅର ବାର ଠାରେ ସଂଗ୍ରାମ ଏବଂ ସୁଶୀଲ ଛିଡା ହୋଇଥିବା ବେଳେ ହଠାତ୍ କିଛି ଯୁବକ(୬ ରୁ ଅଧିକ) ଆସି ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ। ନିକଟରେ ଥିବା କିଛି ଲୋକ ସଂଗ୍ରାମ ଏବଂ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ଟାଉନ୍ ପୁଲିସ ପହଁଚି ଗୁରୁତର ମାନଙ୍କୁ ଚିକିତ୍ସା କରାଇ ତଦନ୍ତ ଆରମ୍ବ କରିଛି। ସଂଗ୍ରାମଙ୍କର ବାମ ହାତରେ ଗଭୀର ଆଘାତ ଲାଗି ଥିବା ବେଳେ ସୁଶୀଲଙ୍କର ବାମ ହାତ ଏବଂ ଅଣ୍ଟା ରେ ଗଭୀର ଆଘାତ ଲାଗିଛି।

