କୋଇଲା ପରିବହନକୁ ୪ ଟି ଗ୍ରାମବାସୀଙ୍କ ତୀବ୍ର ବିରୋଧ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୈନି କୋଇଲା ଖଣିରୁ କୋଇଲା ପରିବହନ ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ସମନ୍ୱୟ ବୈଠକରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ବୈଠକରେ ନୈନୀ କୋଇଲା ଖଣିରୁ ଜେ.ଆଇ.ଟି.ପି.ଏଲକୁ କୋଇଲା ପରିବହନକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିଲେ । ପରିବହନ ହେଲେ ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ପରିବହନ କରିବାକୁ ଗ୍ରାମବାସୀ ଦେଲେ କଡା ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ , ଛେଣ୍ଡିପଦା ସ୍ଥିତ ନୈନି କୋଇଲା ଖଣିରୁ କଣିହାଁ ଜେଆଇଟିପିଏଲକୁ କୋଇଲା ପରିବହନ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ନଂ ୩୧୫/୨୭. ୦୧. ୨୬ ଅନୁଯାୟୀ ଛେଣ୍ଡିପଦା, ଡାଇଭର, କଙ୍କୁରପାଳ, ଚାଙ୍ଗୁଡ଼ିଆ ଦେଇ ପରିବହନ କରାଯିବା ପାଇଁ ଏକ ନିର୍ଦ୍ଦେଶ ନାମା ଜାରୀ କରିଥିଲେ । ଏହି ଖବର ପ୍ରକାଶିତ ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏନେଇ କିଛି ଗ୍ରାମବାସୀ ଗାଁରେ ବୈଠକକରି ବିରୋଧ କରିବା ସହିତ ପାଳିକରି ଦିନ ରାତି ଉଜାଗର ହୋଇ ଗାଁ ରାସ୍ତା ଦେଇ ଭାରୀଯାନ ଚଳାଚଳକୁ ବିରୋଧ କରିଥିଲେ । ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ୪ଟି ଗ୍ରାମର ଗ୍ରାମ୍ୟ କମିଟି ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ବ୍ଲକ ସଭାଗୃହ ଠାରେ ଏକ ସମନ୍ୱୟ ବୈଠକ ପାଇଁ ଛେଣ୍ଡିପଦା ତହସିଲଦାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ଛେଣ୍ଡିପଦା ତହସିଲଦାର ମାନସ ରୟଙ୍କ ଅଧକ୍ଷତାରେ ଛେଣ୍ଡିପଦା ବ୍ଲକ ସଭାଗୃହ ଠାରେ ସାମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟଙ୍କ ସମେତ ଟ୍ରକ ମାଲିକ ସଙ୍ଘ, ୪ଟି ଗ୍ରାମର ଗ୍ରାମ ସଭାପତି, ସରପଞ୍ଚ, ସମିତି ସଭ୍ୟ ଓ ବହୁ ଗ୍ରାମବାସୀ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରୁ ଜନ ପ୍ରତିନିଧି ମାନେ ଗାଁ ରାସ୍ତା ଦେଇ କୋଇଲା ଗାଡି ଚଳାଚଳକୁ ତୀବ୍ର ବିରୋଧ କରିଥିଲେ । ଯଦି ପ୍ରଶାସନ ଗାଡି ଚଳାଚଳ କରାଏ, ତେବେ ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ନେବା ପାଇଁ ଗ୍ରାମ୍ୟ କମିଟି ଠାରୁ ଆରମ୍ଭ କରି ଯୋଗ ଦେଇଥିବା ବିଭିନ୍ନ ଲୋକ ପ୍ରତିନିଧି ମତ ଦେଇଥିଲେ । ଫଳରେ ସମନ୍ୱୟ ବୈଠକରେ ଏକ ଉତ୍ତେଜନ ସ୍ଥିତି ଦେଖା ଦେଇଥିଲା । ଲୋକଙ୍କ ଦାବି ଅନୁଯାୟୀ କୋଇଲା ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ପାଇଁ ତହସିଲଦାର ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିବା ସହିତ ବୈଠକ ଶେଷ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page