ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମରାତିରା ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକ୍କା ଦେଲା କାର । ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ମୃତକ ଦୁଇ ଜଣ ହେଲେ କନ୍ଦରସିଂହା ଗାଁର ଅମିତ ସାହୁ , ଦେଉଳବେଡା ଗାଁର ବିସ୍ମୟ କୁମାର ଦାସ ଓ ଗୁରୁତର ଜଣଙ୍କ ହ୍ରଲେ ବନ୍ତଳାର ଗୋପାଳ ସାହୁ । ତିନି ଜଣ ଏକ ବାହାଘର ଭୋଜିରେ ଯୋଗ ଦେଇ କାରରେ ଫେରୁଥିଲେ । ମରାତିରା ନିକଟରେ ଆଗରେ ଯାଉଥିବା ଏକ ଟ୍ରକ ପଛରେ ସେମାନଙ୍କ କାର ଭାରସାମ୍ୟ ହରାଇ ବାଡେଇ ହୋଇ ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଅମିତ ଏବଂ ବିସ୍ମୟଙ୍କର ମୃତ୍ୟୁ ହୋଇଥିଲା । ଅମିତ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ବେଳେ ପୂର୍ବରୁ ତାଳଚେର ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ସମ୍ପାଦନା କରୁଥିଲେ । ବର୍ତ୍ତମାନ ସେ ରାଜ୍ୟ ଛାତ୍ର ବିକେଡିର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଥିଲେ ।

ଦୁର୍ଘଟଣା ପରେ ତାଳଚେର ଓ ଅନୁଗୁଳ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏବେ ସେମାନଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେଉଛି । ତିନି ଜଣ ଭୋଜି ଖାଇ କାରରେ ହସି ଖୁସି ହୋଇ ଫେରୁଥିବାର ଏକ ଭିଡିଓ ସୋସିଆଲ ମେଡିଆରେ ପକାଇ ଥିଲେ । ତେବେ ଭିଡିଓ ଅପଲୋଡ଼ କରିବାର କିଛି ସମୟ ପରେ ଯେ ମୃତ୍ୟୁ ସେମାନଙ୍କୁ ଏଭଳି ଛକି ବସିଥିବ ଏ କଥା କେହି ବିଶ୍ୱାସ କରି ପାରୁ ନାହାଁନ୍ତି ।


