ନିଜେ ଚାଲିଗଲେ ,ହେଲେ ଅଙ୍ଗଦାନ କରି ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇ ଦେଲେ ରିତେଶ

ଅନୁଗୁଳ – ନିଜେ ଚାଲିଗଲେ , ହେଲେ ଆଉ ତିନି ଜଣଙ୍କ ଜୀବନ ବଞ୍ଚାଇଦେଲେ । ଅଙ୍ଗଦାନ କରି ଅମର ହୋଇଗଲେ ରିତେଶ । ହୋଲି ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଭୁବନେଶ୍ୱରରେ ଚିକିତ୍ସା ହେଉଥିବା ବେଳେ ଡାକ୍ତର ଆଶା ଛାଡି ଦେଇଥିଲେ । ଆଉ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ହେଲେ ମୃତ୍ୟୁ ପୂର୍ବରୁ ରିତେଶ ତାଙ୍କ କିଡନୀ ଓ ଲିଭର ଦାନ କରି ଅମର ହୋଇ ଯାଇଛନ୍ତି ।


ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସେରେଣ୍ଡା ଗାଁର ରିତେଶ କୁମାର ପ୍ରଧାନ । ତାଙ୍କ ସ୍ତ୍ରୀ ଅନୁଗୁଳ ପୁଲିସରେ କାମ କରୁଥିବା ବେଳେ ରିତେଶ ମଧ୍ୟ ଅନୁଗୁଳରେ ରହୁଥିଲେ । ହୋଲି ଦିନ ସେ ମୋଟରସାଇକେଲରେ ଆସୁଥିବା ବେଳେ ଶରଧାପୁର ନିକଟରେ ଦୁର୍ଘଟଣା ହୋଇଥିଲା । ରିତେଶ ମୋଟରସାଇକେଲରୁ ଛିଟିକି ପଡିବା ଯୋଗୁଁ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଥିବା ବେଳେ ବଞ୍ଚିବା ଆଶା ଛାଡ଼ିଦେବା ବୋଲି ଡାକ୍ତର କହିଥିଲେ ।

ବଞ୍ଚିବା ଆଶା କ୍ଷୀଣ ଜାଣିବା ପରେ ରିତେଶଙ୍କ ପରିବାରଙ୍କୁ ଅଙ୍ଗଦାନ ପାଇଁ କିଛି ବନ୍ଧୁ ପ୍ରବର୍ତାଇ ଥିଲେ । ଅଙ୍ଗଦାନର ମହତ ଉଦ୍ୟେଶ ବୁଝାଇଥିଲେ । ଆଉ ଏହି କଥାକୁ ରିତେଶ ସ୍ତ୍ରୀ ଏବଂ ପରିବାର ବୁଝି ଯାଇଥିଲେ । ଆଉ ଏ କଥା ବୁଝିବା ପରେ ରିତେଶଙ୍କ ଅଙ୍ଗଦାନ କରାଯାଇଥିଲା । ରିତେଶଙ୍କ କିଡନୀ ଦୁଇ ଜଣଙ୍କୁ ଏବଂ ଲିଭର ଆଉ ଜଣଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା । ଆଉ ଆଜି ତାଙ୍କ ମୃତ ଦେହ ଅନୁଗୁଳ ଆସିବା ପରେ ଗାର୍ଡ ଅଫ ଅନର ଦେଇ ତାଙ୍କ ଶେଷକୃତ୍ୟ କରାଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ରିତେଶ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page