ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହର ୮ ଫୁଟ ଉଚ୍ଚତାର ପାଚେରୀ ପଡି ଯିବାରୁ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ଦୁଇ ଶ୍ରମିକ ମାନେ ହେଲେ ନୂଆଖେତା ଗ୍ରାମର କେଶବ ଭୋଇ (୩୧) ଏବଂ ଅନୁଗୋଳର ପ୍ରେମାନନ୍ଦ ରାଉତ (୩୦) ବୋଲି ଜଣା ପଡିଛି ।

ସୂଚନା ଯେ, ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ପାଚେରୀ ନିକଟରେ ୧୦ ଜଣ ଶ୍ରମିକ ଡ୍ରେନ୍ କାର୍ଯ୍ୟ କରୁଥିଲେ। ଅପରାହ୍ନରେ କାମ କରୁଥିବା ବେଳେ ହଠାତ୍ ୮ ଫୁଟର ପାଚେରୀ ଖସି ପଡିଥିଲା। ଯାହା ଫଳରେ ୮ ଜଣ ଶ୍ରମିକ ଜୀବନ ବିକଳରେ ଦୌଡ଼ି ଯାଇଥିଲେ। କିନ୍ତୁ ଦୁଇ ଶ୍ରମିକ ପାଚେରୀ ତଳେ ରହି ଯାଇଥିଲେ। ଯାହା ଫଳରେ ଦୁଇ ଶ୍ରମିକ କେଶବ ଭୋଇ ଏବଂ ପ୍ରେମାନନ୍ଦ ରାଉତ ଗୁରୁତର ହୋଇ ଯାଇଥିଲେ। ଦୁଇ ଗୁରୁତରଙ୍କୁ ଚିକିତ୍ସାଳୟର କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। କେଶବଙ୍କର ଛାତି ଏବଂ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗି ଥିବା ବେଳେ ପ୍ରେମାନନ୍ଦଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି ।

