ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁ ନିକଟରେ ସୁଭଦ୍ରା କୋଇଲା ଖଣି ପକ୍ଷରୁ କୋଇଲା ପରିଚାଳନା କେନ୍ଦ୍ର ବା ସାଇଲୋର ନିର୍ମାଣ କାର୍ଯ୍ୟ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଫଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

ସୂଚନା ଯେ ସୁଭଦ୍ରା କୋଇଲା ଖଣି କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କଙ୍କରାଇ, ପିଢଖମଣ, ବାଲିଚନ୍ଦ୍ରପୁର, ରାଇଝରଣ, କାଉଁଶିଢ଼ିପ, ଗୋଳାଗାଡିଆ, ଛୋଟବେରେଣୀ, କୁମୁଣ୍ଡା, ଭାଲୁଗାଡିଆ, ବାଘୁଆବେବାଲ ଏବଂ ଜୟପୁର ସଂରକ୍ଷିତ ଜଙ୍ଗଲ ଆଦି ଗ୍ରାମ ଓ ଅଞ୍ଚଳର ୧୧୧୧. ୮୫ ହେକ୍ଟର ସରକାରୀ ଓ ବେସରକାରୀ ଜମିରେ ଏହି ଖଣିଖନନ କରିବାର ଯୋଜନା ରଖୁଛନ୍ତି। କିନ୍ତୁ କୋଇଲା ଖଣି ପାଇଁ ସୁଭଦ୍ରା କମ୍ପାନୀ ପକ୍ଷରୁ ଜନସାଧାରଣଙ୍କର ଜମିର ଉଚିତ ମୂଲ୍ୟ ଥଇଥାନ, ନିଯୁକ୍ତି ଆଦି ପ୍ରଦାନ ନ କରି ଗ୍ରାମ ନିକଟସ୍ଥ ଏକ ସରକାରୀ ଜମିରେ ସିଏଚପି ଓ ସାଇଲୋ ପ୍ଲାଣ୍ଟ ବସାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଏନେଇ କଙ୍କରେଇ ଗ୍ରାମବାସୀ ଓ ଖଣି କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଏନେଇ ଅନେକ ଥର ବୈଠକ କରାଯାଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରୁନି । ଏନେଇ ଗତ ୧୦ ତାରିଖରେ ଉପ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କୁ ନେଇ ବୈଠକ କରାଯାଇଥିଲା । କିନ୍ତୁ ଉକ୍ତ ବୈଠକରେ ବାହାରିଥିବା ନିର୍ଯ୍ୟାସରେ ଗ୍ରାମବାସୀଙ୍କ ଦାବୀ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ସୋମବାର ସକାଳେ କିଛି କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଗ୍ରାମ ସମ୍ପାଦକ ସାଧୁଚରଣ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀଙ୍କ ପହଁଚି କମ୍ପାନୀ କାର୍ଯ୍ୟକୁ ବନ୍ଦ କରିଥିଲେ। ତୀବ୍ର ଉତ୍ତେଜନା ଫଳରେ କାର୍ଯ୍ୟ ବନ୍ଦ ରହିଛି । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାଶୁଝା ପାଇ ଉଦ୍ୟମ କରିଛି । ଏନେଇ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡାକି ପୁଣି ଥରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି ।

