ଝିଅ ଅପହରଣ ଅଭିଯୋଗର ମିଛ ପର୍ଦ୍ଦାଫାଶ, ଗିରଫ ହେଲେ ମା’

ଛେଣ୍ଡିପଦା – ଝିଅର ଅପହରଣ ହୋଇଥିବା ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଜଣେ ମହିଳା ଶେଷରେ ନିଜେ ପୁଲିସ ଜାଲରେ ଫସିଛନ୍ତି। ତଦନ୍ତରେ ଅଭିଯୋଗ ମିଥ୍ୟା ବୋଲି ଜଣାପଡିବା ସହ ନାବାଳିକା ଝିଅକୁ ଲୁଚାଇ ରଖିବାରେ ମା’ ସହଯୋଗ କରିଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିଶା ଇଣ୍ଡଷ୍ଟ୍ରିଆଲ ଥାନା ପୁଲିସ।

ପୁଲିସ ସୂଚନା ଅନୁସାରେ, ଗତ ୨୯ ମେ ୨୦୨୬ରେ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ସେହି ଗାଁର ସରୋଜ ଦେହୁରୀ (୨୦) ତାଙ୍କ ନାବାଳିକା ଝିଅକୁ ପ୍ରାୟ ଏକ ମାସ ପୂର୍ବରୁ ଅପହରଣ କରି ନେଇଛନ୍ତି। ଏହି ଅଭିଯୋଗ ଆଧାରରେ ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ କେସ୍ ନଂ–୧୮୯/୨୬ ଅନୁସାରେ ବିଏନଏସ ଧାରା ୧୩୭(୨)ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ନାବାଳିକା ନିଜ ଇଚ୍ଛାରେ ସରୋଜ ଦେହୁରୀଙ୍କ ସହ ଘର ଛାଡି ଯାଇଥିଲେ ଏବଂ ଉଭୟ ଝାରସୁଗୁଡ଼ାରେ ଏକାଠି ରହୁଥିଲେ। ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ, ନାବାଳିକାଙ୍କ ମା’ ସମଗ୍ର ଘଟଣା ସମ୍ପର୍କରେ ଅବଗତ ଥିବା ସହ ସେମାନଙ୍କୁ ଟଙ୍କା ଯୋଗାଇବା ଏବଂ ବିଭିନ୍ନ ସ୍ଥାନରେ ରହିବାର ବ୍ୟବସ୍ଥା କରି ସହଯୋଗ କରିଥିଲେ।

ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତଙ୍କ କହିବା ଅନୁଯାୟୀ, ନାବାଳିକା ନିଜ ଇଚ୍ଛାରେ ଯାଇଥିଲେ ମଧ୍ୟ ମା’ ତାଙ୍କୁ ଲୁଚାଇ ରଖିବା ଏବଂ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ତଦନ୍ତରେ ସ୍ପଷ୍ଟ ହୋଇଛି। ଏହାକୁ ଆଧାର କରି ପୋକ୍ସୋ ଆଇନର ଧାରାରେ ନାବାଳିକାଙ୍କ ମା’ ଏବଂ ସରୋଜ ଦେହୁରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page