ସ୍କୁଲ ଡ୍ରାଇଭରଙ୍କୁ ମାଡ଼ – ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ସାଂଘାତିକ ଅଭିଯୋଗ

ଅନୁଗୋଳ – ସ୍କୁଲ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଅଭିଯୋଗ ଖୋଦ୍ ସ୍କୁଲ ଅଧ୍ୟକ୍ଷ ଓ ସୁରକ୍ଷାକର୍ମୀଙ୍କ ନାମରେ ଆସିଛି । ହାତ ଗୋଡ଼ ବାନ୍ଧି ଏକ ବନ୍ଦ କୋଠରୀରେ ରଖି ବାଉଁଶ ବାଡ଼ିରେ ପିଟିଥିବା ଅଭିଯୋଗ । ଏପରିକି ମୁହଁ ଓ ଛାତିରେ ଗୋଇଠା ମାରିଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ଅନୁଗୋଳ ବନ୍ତଳା ଥାନା ଚମ୍ପତିମୁଣ୍ଡା ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏ ହେଉଛନ୍ତି ଜବାହର ନବୋଦୟ ବିଦ୍ୟାଳୟର ଡ୍ରାଇଭର ବିଦ୍ୟାଧର ହାତୀ । ଅଭିଯୋଗ ହୋଇଛି, ସନ୍ଧ୍ୟାରେ ବିଦ୍ୟାଳୟ ଗେଟ୍ ନିକଟରେ ଥିବା ଏକ କୋଠରୀକୁ ତାଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା । ପରେ ବାଉଁଶ ବାଡ଼ିରେ ମାଡ଼ ମରାଯିବା ସହ ମୁହଁ ଓ ଛାତିରେ ଗୋଇଠା ମରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ବିଦ୍ୟାଧରଙ୍କ ଅଭିଯୋଗ ଅନୁସାରେ, ସନ୍ଧ୍ୟା ପ୍ରାୟ ୭ଟାରୁ ତାଙ୍କୁ ମାଡ଼ ମରାଯାଇଥିଲା । ଏହାପରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ କୋଠରୀର ବାହାର ପଟୁ ତାଲା ପକାଇ ଦିଆଯାଇଥିଲା । ପ୍ରାୟ ତିନି ଘଣ୍ଟା ପରେ ସେ ବିକଳ ହୋଇ କାନ୍ଦିବାରୁ ରାତି ପ୍ରାୟ ୧୦ଟାରେ ତାଲା ଖୋଲି ତାଙ୍କୁ ଛାଡ଼ି ଦିଆଯାଇଥିବା ସେ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସ୍କୁଲର ଜଣେ ଝିଅକୁ ତାଗିଦ କରିବାକୁ ଯାଇ ଛୋଟ ଚାପୁଡାଟିଏ ଦେବାରୁ ତାଙ୍କୁ ଏଭଳି ମାଡ଼ ମରା ଯାଇଥିବା ସେ କହିଛନ୍ତି ।
ଘଟଣା ପରେ ବିଦ୍ୟାଧରଙ୍କ ହାତ, ଗୋଡ଼ ଓ ପିଠିରେ ମାଡ଼ର ଚିହ୍ନ ରହିଥିବା ସେ ଦାବି କରିଛନ୍ତି । ଏନେଇ ସେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି । ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।
ଅନ୍ୟପକ୍ଷରେ, ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳଙ୍କୁ ଫୋନ ଯୋଗେ ପଚାରିବାରୁ , ଡ୍ରାଇଭରଙ୍କୁ ଘର ଭିତରେ ପୂରାଇ ମାଡ଼ ମରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଡ୍ରାଇଭରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page