ମୃତ୍ୟୁ ସହ ଲଢ଼ୁଥିଲେ ଛାତ୍ର, ଭିଡିଓ କରୁଥିଲେ ଦେଖଣାହାରୀ ! ହାରିଗଲା ମାନବିକତା

ଅନୁଗୋଳ – ମରିଗଲା ମାନବିକତା !
ସଡ଼କ ଦୁର୍ଘଟଣାରେ ଛାତ୍ର ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ, ତାଙ୍କୁ ତୁରନ୍ତ ସହାୟତା କରିବା ବଦଳରେ ଲୋକେ ମୋବାଇଲରେ ଫଟୋ ଓ ଭିଡିଓ କରୁଥିଲେ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଖମାର ବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର। ଘଟଣା ପରେ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ, ଆହତ ଛାତ୍ରଙ୍କୁ ସହାୟତା କରିବା ପରିବର୍ତ୍ତେ କିଛି ଲୋକ ମୋବାଇଲରେ ଦୃଶ୍ୟ ରେକର୍ଡ କରୁଥିବା ଚିତ୍ର ମାନବିକତା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି।

ପାଲଲହଡ଼ା ଖମାର ବଜାର ଛକ।
ରାସ୍ତାକଡ଼ରେ ବସ୍‌କୁ ଅପେକ୍ଷା କରିଥିଲେ ଜଣେ ଦଶମ ଶ୍ରେଣୀର ଛାତ୍ର। ଘରକୁ ଫେରିବା ପାଇଁ ବସ୍‌ଷ୍ଟାଣ୍ଡ ଅଭିମୁଖେ ଯାଉଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ଏକ ଦ୍ରୁତଗାମୀ ଟ୍ରକ୍‌ । ପାଲଲହଡ଼ା ପଟୁ ଆସୁଥିବା ଟ୍ରକ୍‌ଟି ଛାତ୍ରଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କା ପରେ କିଛି ବାଟ ଛାତ୍ରଙ୍କୁ ଟ୍ରକ୍‌ଟି ଘୋଷାଡ଼ି ନେଇଥିଲା । ଗୁରୁତର ଆହତ ଅବସ୍ଥାରେ ଛାତ୍ରଜଣକ କିଛି ସମୟ ଧରି ଜୀବନ ସହ ସଂଗ୍ରାମ କରିଥିଲେ। ଶେଷରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ଛାତ୍ର ହେଉଛନ୍ତି ତାଳଚେର ସିଙ୍ଗିଡ଼ା ଗାଁର ରାହୁଲ ପ୍ରଧାନ। ରାହୁଲ ଖମାରସ୍ଥିତ ଉତ୍କଳମଣି ଗୋପବନ୍ଧୁ ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲେ। ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ରକ୍ଷା ପୂର୍ଣ୍ଣିମା ପାଇଁ ଦୁଇଦିନ ଛୁଟି ଥିବାରୁ ଘରକୁ ଫେରିବା ପାଇଁ ବସ୍‌ଷ୍ଟାଣ୍ଡ ଯାଉଥିବା ବେଳେ ଘଟିଗଲା ଏହି ଅଘଟଣ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ ଭାଇରାଲ ହେଉଥିବା ଏକ ଭିଡିଓ ଅନୁସାରେ, ଗୁରୁତର ଆହତ ଛାତ୍ରଙ୍କୁ ତୁରନ୍ତ ହସ୍ପିଟାଲ ନେବା ବଦଳରେ କିଛି ଲୋକ ମୋବାଇଲରେ ଫଟୋ ଓ ଭିଡିଓ କରୁଥିଲେ। ଜଣେ ଛାତ୍ର ଜୀବନ ପାଇଁ ସଂଗ୍ରାମ କରୁଥିଲେ, ଆଉ ପାଖରେ ମୋବାଇଲ କ୍ୟାମେରାରେ ଚାଲିଥିଲା ରେକର୍ଡିଂ।

ଘଟଣାର ଏହି ଦୃଶ୍ୟ ଏବେ ସମାଜରେ ମାନବିକତାର ସ୍ଥିତିକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଦୁର୍ଘଟଣା ସମୟରେ ଗୋଲ୍ଡେନ୍ ଆୱାର୍‌ରେ ତୁରନ୍ତ ଚିକିତ୍ସା ସହାୟତା ମିଳିବା ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ଏଠି ପ୍ରଶ୍ନ ହେଉଛି , ଆହତଙ୍କୁ ସହାୟତା କରିବା ଆଗରୁ ମୋବାଇଲ କ୍ୟାମେରା ଉଠିବା କ’ଣ ଆମ ସମାଜର ନୂଆ ଚିତ୍ର? ରାହୁଲଙ୍କ ଅକାଳ ମୃତ୍ୟୁ ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page