ଅନୁଗୋଳ- ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରୁ ଘରର ତାଲା ଭାଙ୍ଗିବା ପରେ ଆଲମୀରା ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁସାରେ, ଗଞ୍ଜାମ ବ୍ରହ୍ମପୁରର ଜି. କିରନ କୁମାର ୫ ବର୍ଷ ହେଲା ଗୀତାଗ୍ରାମରେ ଭଡ଼ାଘରେ ରହୁଛନ୍ତି। ସେ ଗତ ୧୭ ତାରିଖରେ ଦଶହରା ପାଇଁ ବ୍ରହ୍ମପୁରକୁ ପରିବାର ନେଇ ଯାଇଥିଲେ। ତେବେ ଏହାର ସୁଯୋଗ ନେଇ ଗୀତାଗ୍ରାମରେ ରହୁଥିବା ଢେଙ୍କାନାଳ ଜିଲ୍ଲାର କାହ୍ନୁ ଦେହୁରୀ ଘର କବାଟ ଭାଙ୍ଗି ଚୋରି କରିଥିଲେ। ଘର ଆଲମିରା ଭାଙ୍ଗି ୮୯ ଗ୍ରାମର ସୁନା ଚେନ୍, ମୁଦି ଇତ୍ୟାଦି ଚୋରି କରିନେଇଥିଲେ। ସେହିପରି ୫୧ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିଲା। ତେବେ ଘରର ତାଲା ଭଙ୍ଗା ଯାଇଥିବା ଖବର ପଡ଼ୋଶୀଙ୍କ ପାଖରୁ ଖବର ପାଇ ଜି. କିରନ କୁମାର ଅନୁଗୋଳ ଆସି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଅନୁଗୋଳ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୁନା ଏବଂ ୪୫ ହଜାର ଟଙ୍କା ଉଦ୍ଧାର କରିଛି ଅନୁଗୋଳ ଟାଉନ୍ ପୋଲିସ । ଅଭିଯୁକ୍ତ କାହ୍ନୁ , ଜି. କିରନ କୁମାରଙ୍କ ଘରେ କାମ କରୁଥିବା ମହିଳାଙ୍କ ସ୍ୱାମୀ ବୋଲି ଜଣା ପଡ଼ିଛି ।

