ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା

ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା ହାସଲ କରିବା ସହିତ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଡିଜାଇନ୍ ଶୋ’ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ଡିଜାଇନ୍ ଶୋ’ରେ ଓଡ଼ିଶା କଳା ସଂସ୍କୃତି ସମ୍ପନ୍ନ ହସ୍ତକଳାର ବିଭିନ୍ନ ଡିଜାଇନ୍ ପ୍ରଦର୍ଶିତ ହେବା ସହିତ ଫ୍ୟାସନ ଡିଜାଇନର ଶୋ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ପାରମ୍ପରିକ ପୋଷାକକୁ ଏହି ଫ୍ୟାସନ ଡିଜାଇନରମାନେ ପରିଧାନ କରି ରାମ୍ପ ଶୋ କରିଥିଲେ । ଏଥିରେ ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକର ବାଗେଡ଼ିଆ ବାସିନ୍ଦା ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅତିରିକ୍ତ ମହାପ୍ରବନ୍ଧକ ବିଜୟ କୁମାର ଆଚାର୍ଯ୍ୟଙ୍କ କନ୍ୟା ଜୁଲି କର ଭାଗ ନେଇ ସଫଳତା ହାସଲ କରିଛନ୍ତି ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଡିଜାଇନ ଫ୍ୟାସନ ଶୋ’ରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠା ବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ କର , ବରିଷ୍ଠ ଆଇଏଏସ୍ ଅଫିସର ପାର୍ଥସାରଥୀ ମିଶ୍ର , ଆଡମାର୍କର ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର ପ୍ରମୁଖ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ଏହି ଡିଜାଇନ୍ ଶୋ’ରେ ଦେଶର ବହୁ ଖ୍ୟାତନାମା ମଡେଲ ଭାଗ ନେଇଥିଲେ । ଶ୍ରୀମତୀ କର ଏବେ ଚେନ୍ନାଇରେ ରହୁଛନ୍ତି । ସେଠାରେ ତାଙ୍କର ନିଜର ଏକ ଆନିମେଶନ ଷ୍ଟୁଡିଓ ରହିଛି । ତାଙ୍କ ସ୍ଵାମୀ ଡ . ବୁଲୁ କର ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ଚେନ୍ନାଇରେ କାର୍ଯ୍ୟ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page