ଅନୁଗୋଳ – ଗତ ଦୁଇଦିନ ହେଲା ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ବେଳେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ନିଜ ପିଲାଦିନର ସ୍କୁଲ ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ । ସେ ଅନେକ ଦିନର ବ୍ୟବଧାନ ପରେ ପାଠ ପଢିଥିବା ବିଦ୍ୟାଳୟକୁ ଆସି ବହୁତ ଆନନ୍ଦିତ ବୋଲି କହିଥିଲେ । ୧୯୭୭ ମସିହାରେ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଥିବା କହିବା ସହ ଆଜି ଯେଉଁଠି ପହଞ୍ଚିଛନ୍ତି , ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସମ୍ଭବ ହୋଇଛି ବୋଲି କହିଥିଲେ । ଏହି ସ୍କୁଲ ମନ୍ଦିର ତୁଲ୍ୟ , ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟି ଅନେକ ସ୍ମୃତି ଉଜ୍ଜିବୀତ କରିଥିଲେ । ପରେ ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗ ଦେଇଥିଲେ । ଏଠାରେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦି ବିରୋଧୀ ମନବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇପାରୁନାହିଁ ବୋଲି କହିଥିଲେ। ବିଗତ ବର୍ଷରେ ମୋଦି ସରକାର ପ୍ରଚୁର ଅର୍ଥ ଦେବା ପରେ ପରେ ରାଜ୍ୟ ସରକାରଙ୍କ ପାଇଁ ତାଳଚେର ଅବହେଳା ହୋଇଅଛି । ଅନୁଗୋଳ ଓ ତାଳଚେର ଭଳି ଶିଳ୍ପାଞ୍ଚଳରୁ ଓଡ଼ିଶା ସରକାର ଯେତେ ରାଜସ୍ୱ ନେଉଛନ୍ତି, ସେତିକି ମାତ୍ରାରେ ଦାୟିତ୍ୱ ନେଉନାହାନ୍ତି । ପ୍ରାୟ ୫୦୦ କୋଟି ମୂଲ୍ୟର ତାଳଚେର ନେହରୁ ଶତାବ୍ଦୀ ମେଡିକାଲ କଲେଜ ଅଚଳାବସ୍ଥା ହୋଇ ପଡିରହିଛି । ଏହାର ସମ୍ମୁଖରେ ଏମଏସିଏଲ ପକ୍ଷରୁ ଅନ୍ୟ ପ୍ରାୟ ୫୦୦ କୋଟି ମୂଲ୍ୟର ନୂତନ ମେଡିକାଲ କଲେଜ ଭବନ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟ ସରକାର ହସ୍ପିଟାଲ ଚଲାଇବା ପାଇଁ ରାଜି ନାହାନ୍ତି ବୋଲି କହିଥିଲେ। ପରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବଡ଼ ଭାଇ ସିଦ୍ଧେଶ୍ୱର ପ୍ରଧାନ ଓ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତାଳଚେରରୁ ଆସି ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି କହିଥିଲେ । ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା ସେବା ଓ ସମର୍ପଣର ବାର୍ତ୍ତାକୁ ଦଳୀୟ ସଂଗଠନର ମିଳିତ ଶକ୍ତି ମାଧ୍ୟମରେ ଅନୁଗୋଳ ସମେତ ଓଡ଼ିଶାର ଘରେ ଘରେ ପହଞ୍ଚାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ମୋଦି ସରକାରଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାର ଲାଭ ଓଡ଼ିଶା ଓ ଅନୁଗୋଳ ହୋଇଛି । ଅନୁଗୋଳରେ ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନୁଗୋଳ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି । ଆବାସ ଗ୍ରାମୀଣ ଯୋଜନାରେ ୭୨୯ କୋଟି ଟଙ୍କାର ୬୦ ହଜାର ୭୩୪ ଘର ଦିଆଯାଇଛି । ଆବାସ ସହର ଯୋଜନାରେ ୧୭୮ କୋଟି ଟଙ୍କାର ୫ ହଜାର ୬୭୦ ଘର ଦିଆଯାଇଛି । ୨୫.୮୨ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୬୧ ହଜାର ୪୩୬ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ବିତରଣ କରାଯାଇଛି । ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଡିରେ ଅନୁଗୋଳରେ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଅର୍ଥ ଦେଇଛନ୍ତି । ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମ ହୋଇଛି । ଆଜି ତାଳଚେର-ଅନୁଗୋଳର ନୂଆ ଲୁପ୍ ଲାଇନ, ଅନୁଗୋଳ-ସୁକିନ୍ଦା ରେଳ ଲାଇନ, ତାଳଚେର-ନିର୍ଗୁଣ୍ଡିର ଇଲେକ୍ଟ୍ରିଫିକେସନ ସହ ରାସ୍ତା ଘାଟର ଉନ୍ନତି ଭଳି କାମ ଆଜି ଅନୁଗୋଳ ଜିଲ୍ଲାରେ ହେଉଛି ।

ଗତକାଲିର ଏହି ଗସ୍ତ ପରେ ଆଜି କଣିହାଁ ବଡ଼ଗୁଣ୍ଡୁରି ସ୍ଥିତ ମାଉସୀ ମା’ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରିଥିବା କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ତାଙ୍କ ପାଖରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଏହି ଅବସରରେ ପ୍ରତିକୂଳ ପାଗ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଆତିଥ୍ୟ ଓ ଭଲ ପାଇବା ପାଇଁ ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ଗୁରୁଜନ ଓ ମା’ ମାନେ ଦେଇଥିବା ମମତା ଓ ସ୍ନେହର ଆଶୀର୍ବାଦ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଦେଶରେ ପୁନର୍ବାର ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଲୋଡିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବଡ଼ଗୁଣ୍ଡୁରି ଠାରେ ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ଦ୍ଵାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସ୍ୱାଗତ କରାଯାଇଥିଲା ।
ସେଠାରୁ ଆସି ଅନୁଗୋଳ ନାଲକୋନଗରରେ ଭାରତରତ୍ନ ଡା.ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।ଏହି ଭବ୍ୟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦିନରେ ଏକ ବିଶେଷ ମହତ୍ୱ ଅଛି । ଡକ୍ଟର ଆମ୍ବେଦକର ୧୯୫୦ ମସିହାରେ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ ତାହାକୁ ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର ଭାରତୀୟ ସମ୍ବିଧାନ ଉପରେ ଅଂଙ୍କୁଶ ଲଗାଇ ନାଗରିକଙ୍କ ମୌଳିକ ଅଧିକାରକୁ ହନନ୍ କରିବାର ଅପଚେଷ୍ଟା କରିଥିଲେ । ଇମରଜେନସୀ, ଭାରତୀୟ ଗଣତନ୍ତ୍ରରେ କଳାଫର୍ଦ୍ଦ । ଏହି ଜରୁରୀକାଳୀନ ପରିସ୍ଥିତିକୁ ନେଇ ପରେ ବ୍ୟାପକ ଜନଜାଗରଣ ହେବା ପରେ ୧୯୭୭ରେ ଇମରଜେନ୍ସ ହଟାଗଲା ଓ ଦେଶରେ ଲୋକଶାସନ ପ୍ରତିଷ୍ଠା ହେଲା । ଲୋକତନ୍ତ୍ରରେ ଲୋକ ମାନଙ୍କ ନିଷ୍ପତି ଓ ସମ୍ବିଧାନର ବ୍ୟବସ୍ଥା ଠାରୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି । ଆଜି ଭଳି ଦିନରେ ନାଲକୋ ନଗରରେ ସେହି ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସୌଭାଗ୍ୟର ବିଷୟ । ଏହି ପ୍ରତିମୂର୍ତ୍ତି ଆମ୍ବେଦକରଙ୍କ ବିଚାର ଓ ମୂଲ୍ୟବୋଧରେ ବ୍ରତୀ ହେବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ପ୍ରେରିତ କରିବ ।




