କସ୍ତୁରଵା ଥିଲେ ମହାତ୍ମା ଗାନ୍ଧୀଜୀଙ୍କର ଅହିଂସାର ମୁଳସୁତ୍ର

ଅନୁଗୁଳ – ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଜୀଙ୍କର ୭୭ ତମ ପୂଣ୍ୟ ତିଥି କାଙ୍ଗୁଲା ସ୍ଥିତ ଉଜ୍ଜଵଳା ଅନୁଷ୍ଠାନ ରେ ପାଳିତ ହୋଇଯାଇଛି । ଦକ୍ଷିଣ ଆଫ୍ରିକାରୁ ମୋହନଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ଗାନ୍ଧୀ ପର୍ଯ୍ୟନ୍ତ ଉତ୍ତରଣ ଯାତ୍ରା ସହିତ ତାଳ ଦେଇ କସ୍ତୁରଵା ନାମକ ଜଣେ ସାଧାରଣ ଭାରତୀୟ ନାରୀ ଧୀରେ ଧୀରେ ରାଷ୍ଟ୍ରମାତା ‘ବାରେ ରୂପାନ୍ତରିତ ହେବାକୁ ଲାଗିଥିଲେ । ପ୍ରାରମ୍ଭିକ ପ୍ରଯ୍ୟାୟରେ ବାପୁଙ୍କ ପାରମ୍ପରିକ ପୁରୁଷତାନ୍ତ୍ରିକ ମନ ମଧ୍ୟ ସ୍ୱାମୀ ଭାବରେ ପ୍ରଥମେ ନିଜର ପ୍ରଭୁତ୍ୱ ସାବ୍ୟସ୍ତ କରିବାକୁ ଚାହୁଁଥିଲା କିନ୍ତୁ କସ୍ତୁରଵା ଅନ୍ଧ ଭାବରେ ତାଙ୍କ ବଶତା ସ୍ୱୀକାର ନ କରି ଯଥାର୍ଥ ଯୁକ୍ତି କରି ନିଜ ନିଷ୍ପତ୍ତିରେ ସ୍ଥିର ରହୁଥିଲେ । ପରବର୍ତ୍ତୀ ସମୟରେ ସେ ସମ୍ପୂର୍ଣ୍ଣ ଭାବରେ ଗାନ୍ଧୀଙ୍କ ଚିନ୍ତା ଓ ଚେତନାରେ ନିଜକୁ ସାମିଲ କରିଥିଲେ । ଜୀବନର ପ୍ରତିଟି କ୍ଷେତ୍ରରେ ତାଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଥିଲେ । ନାରୀ ସୁଲଭ ସମସ୍ତ ନିଜସ୍ୱ ଇଛାକୁ ବଳିଦାନ ଦେଇ ରାଷ୍ଟ୍ରହିତରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବାଙ୍କ ତ୍ୟାଗ ସମ୍ପର୍କରେ ନିଜେ ମହାତ୍ମା ଗାନ୍ଧୀ କହିଛନ୍ତି ” ଯଦି ଅନ୍ୟ କୌଣସି ଜନ୍ମରେ ମୋତେ ମୋର ଜୀବନ ସାଥୀ ବାଛିବାକୁ କୁହାଯାଏ ମୁଁ କସ୍ତୁରଵାଙ୍କ ବ୍ୟତୀତ ଅନ୍ୟ କାହାକୁ ବାଛିବି ନାହିଁ । ଭଗବାନ କରନ୍ତୁ, ଅନ୍ୟ ଜନ୍ମ ମାନଙ୍କରେ ମଧ୍ୟ କସ୍ତୁରଵା ମୋର ଜୀବନ ସାଥି ହୁଅନ୍ତୁ।”

ମୋହନ ଆରମ୍ଭରୁ ମହାତ୍ମା ନ ଥିଲେ । ମୋହନ ଦାସରୁ ମହାତ୍ମା ହେବାପାଇଁ ଜୀବନକୁ ନିଜ ସିଦ୍ଧାନ୍ତର ପ୍ରୟୋଗଶାଳା ସହିତ ବ୍ରହ୍ମଚର୍ଯ୍ୟ ଓ ସତ୍ୟ ସାଧନାର ଯେଉଁ  କଷ୍ଟକର ଜୀବନଚର୍ଯ୍ୟା ଦେଇ ଗତି କରୁଥିଲେ ସେଥିରେ କସ୍ତୁରଵାଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିଲା। ଗାନ୍ଧୀଙ୍କ କଠିନ ଆଶ୍ରମ ନିୟମାବଳୀ ମଧ୍ୟରେ ନିଜର ସନ୍ତାନସନ୍ତତିଙ୍କ ପ୍ରତି ମାତୃବତ୍ସଳ ସ୍ନେହକୁ ଅବଦମିତ କରି ଏକ ସ୍ତ୍ରୀର ଇଛା ଏବଂ ଅଧିକାରକୁ ତ୍ୟାଗ କରି ଏକ ନୀରବ ସାଧିକାର ଜୀବନ ଯାପନ କରିବା କିଛି ସହଜ ନ ଥିଲା କସ୍ତୁରଵାଙ୍କ ପାଇଁ । ଜୀବନର ବିଭିନ୍ନ କଷ୍ଟକୁ ସହ୍ୟ କରି ନିଜ ନାରୀତ୍ବର ସ୍ୱାତନ୍ତ୍ର୍ୟ ରକ୍ଷା କରି ମୌନ ପ୍ରତିବାଦ କରିଥିବା କସ୍ତୁରଵା ହିଁ ଗାନ୍ଧୀଙ୍କ “ଅହିଂସା” ମନ୍ତ୍ରର ମୂଳ ସୂତ୍ର ଥିଲେ ।  ନିଜ ଆତ୍ମ ଜୀବନରେ କସ୍ତୁରଵା ତାଙ୍କ ଅହିଂସାର ଶିକ୍ଷାଦାତ୍ରୀ ବୋଲି ସେ ସ୍ୱୀକାର କରିଛନ୍ତି ବୋଲି ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରା କରା ଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଇନ୍ଦିରା ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ବିଦ୍ୟାଧର ନାୟକ , ଉଜ୍ଜଵଳା ଅନୁଷ୍ଠାନର ପରିଚାଲିକା ସୁଶ୍ରୀ ସଂଗୀତା ମହାନ୍ତି , ରାଷ୍ଟ୍ରୀୟ ଯୁବା ସଂଗଠନ ରାଜ୍ୟ ସଂଯୋଜକର ସୂର୍ୟନାରାୟଣ ନାଥ , ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର କଲ୍ୟାଣ କିଶୋର ମହାନ୍ତି , ଆଦ୍ୟଶ୍ଳୋକ ମିଶ୍ର , ସୁକାନ୍ତି ସ୍ୱାଇଁ ଓ ଲିଶା ନାୟକ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page