
ଅନୁଗୁଳ – ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ପୁଣି ଜିଲ୍ଲାବାସୀଙ୍କୁ ଆମୋଦିତ କରିବ ଜିଲ୍ଲା ମହୋତ୍ସବ । ସ୍ଥାନିୟ କଳାକାରଙ୍କ ସମେତ ଓଲିଉଡ ଓ ବଲିଉଡ କଳାକାରଙ୍କ ଗିତନାଚରେ ଝୁମିବେ ଜିଲ୍ଲାବାସୀ । ତେବେ ଚଳିତ ବର୍ଷ କେବଳ ଅନୁଗୁଳ ସହରରେ ଏହି ମହୋତ୍ସବ ସିମିତ ହୋଇ ରହିବ ନାହିଁ । ସଦର ମହକୁମା ସହ ଜିଲ୍ଲାର ସମସ୍ତ ଉପଖଣ୍ଡରେ ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ଅନୁଗୁଳ ସମେତ ସମସ୍ତ ଉପଖଣ୍ଡ ଓ ଛେଣ୍ଡିପଦାରେ ଏହି ଉତ୍ସବ କରାଯିବ । ତାଳଚେର, ଛେଣ୍ଡିପଦା, ପାଳଲହଡ଼ା ଓ ଆଠମଲ୍ଲିକରେ ଏହି ଉତ୍ସବ ଶେଷ ହେବା ପରେ ଅନୁଗୁଳରେ ଉଦ୍ଯାପନୀ ଉତ୍ସବ କରିବାକୁ ଯୋଜନା କରାଯାଇଛି। ସୂଚନା ଅନୁସାରେ, ତାଳଚେରରେ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ସେହିପରି ଛେଣ୍ଡିପଦାରେ ଡିସେମ୍ବର ୨୭ରୁ ୨୯, ପାଲଲହଡ଼ାରେ ଜାନୁଆରି ୫ରୁ ୭ ଓ ଆଠମଲ୍ଲିକରେ ଜାନୁଆରି ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ମହୋତ୍ସବ କରାଯିବ । ଜାନୁଆରି ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଗୁଳ ମହୋତ୍ସବ ଅନୁଷ୍ଠିତ ହେବ ।


