
ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜାମ୍ବୁନାଲି ଛକ ନିକଟରେ ଜଣେ ମେଡିସିନ ପ୍ରତିନିଧିଙ୍କ ଠାରୁ ବନ୍ଧୁକ ମୁନରେ ୯୦ହଜାର ଟଙ୍କା ଲୁଟ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ବନ୍ଧୁକ ଦେଖାଇ ଦୁର୍ବୁତ୍ତ ମାନେ ଟଙ୍କା ଲୁଟି ନେଇ ଥିବା ଜଣା ପଡିଛି l ସୁଚନା ଅନୁସାରେ ଅନୁଗୁଳରେ ଥିବା ମା ବୁଢ଼ୀ ଫାର୍ମାସି ନାମକ ମେଡ଼ିସିନ ହୋଲସେଲର ସଂସ୍ଥାରେ ଅନୁଗୁଳ ଆଙ୍କୁଲା ଅଞ୍ଚଳର ମିଲନ ଜ୍ୟୋତି ସାହୁ ମେଡ଼ିସିନ ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି l ପ୍ରତ୍ୟେକ ଗୁରୁବାର ବଇଣ୍ଡା ଅଞ୍ଚଳକୁ ଆସି ମେଡିସିନ ଟଙ୍କା ଆଦାୟ କରି ଅନୁଗୁଳ ଫେରନ୍ତି l ଗୁରୁବାର ମଧ୍ୟାହ୍ନରେ ବଇଣ୍ଡା ଅଞ୍ଚଳରୁ ମେଡ଼ିସିନ ଟଙ୍କା ଆଦାୟ କରି ଅନୁଗୁଳ ଫେରୁଥିବା ବେଳେ ଜାତୀୟ ରାଜପଥର ଜାମ୍ବୁନାଳି ଛକ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ହେଲମେଟ ପିନ୍ଧି ଏକ ୟୁନିକର୍ଣ୍ଣ ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇ ତାଙ୍କ ପକେଟ ଓ ବ୍ୟାଗରେ ଥିବା ନଗଦ ୯୦ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ମେଡ଼ିସିନ ପ୍ରତିନିଧି ମିଲନ ଜ୍ୟୋତି ସାହୁ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଛାନଭିନ ଚଲାଇଛି ।


