ସ୍ୱାମୀକୁ ଭାଇ ପରିଚୟ ଦେଇ ଠକିନେଲେ ୮ ଲକ୍ଷ ଟଙ୍କା – ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ

ଛେଣ୍ଡିପଦା – ବିବାହ ପ୍ରସ୍ତାବ ନାଁରେ ବଡ଼ ଠକେଇ। ନାଲକୋରେ ଚାକିରି କରୁଥିବା ଯୁବକଙ୍କ ସହ ବିବାହ କରାଇଦେବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ପରିବାରରୁ ୮ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଛେଣ୍ଡିପଦା ପୋଲିସ। ନିଜ ସ୍ୱାମୀଙ୍କୁ ଭାଇ ବୋଲି ପରିଚୟ ଦେଇ ସମ୍ପର୍କ ଯୋଡ଼ିଥିବା ଜଣେ ମହିଳା ଏହି ଠକେଇର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମହିଳା ଏବେ ମଧ୍ୟ ଫେରାର ରହିଛନ୍ତି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି ବିବାହ ପ୍ରତିଶ୍ରୁତି ନାଁରେ ଏକ ବଡ଼ ଠକେଇ ଘଟଣା। ସୂଚନା ଅନୁଯାୟୀ ବାଗଡ଼ିଆ ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଭାଇ ବୋଲି ପରିଚୟ ଦେଇ ଛେଣ୍ଡିପଦାର ଜଣେ ଯୁବତୀଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ। କଥିତ ଭାଇ ନାଲକୋରେ ଚାକିରି କରୁଥିବା କହି ଯୁବତୀ ଓ ତାଙ୍କ ପରିବାରର ବିଶ୍ୱାସ ଜିତିଥିଲେ। ଏବଂ ବିବାହର ବିଭିନ୍ନ ଆଳ ଦେଖାଇ ପର୍ଯ୍ୟାୟକ୍ରମେ ଯୁବତୀଙ୍କ ଠାରୁ ନଗଦ ଓ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମୋଟ ୮ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ଦୀର୍ଘ ଦିନ ପରେ ସନ୍ଦେହ ବଢ଼ିବାରୁ ଯାଞ୍ଚ କରିବା ପରେ ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏହାପରେ ଯୁବତୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଥାନା କେସ ନମ୍ବର ୩୨୮/୨୬ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବାରମଞ୍ଚା ଗ୍ରାମର ରାଜା ବେହେରା ଓ ସରୋଜ ବେହେରାଙ୍କୁ ଗିରଫ କରାଯାଇଛି। ଠକେଇରେ ବ୍ୟବହୃତ ଏକ ମୋବାଇଲ ଫୋନ୍ ମଧ୍ୟ ପୋଲିସ ଜବତ କରିଛି।

ତେବେ ସମଗ୍ର ଠକେଇ ଚକ୍ରର ମୁଖ୍ୟ ଅଭିଯୁକ୍ତ ମହିଳା ଏବେ ସୁଦ୍ଧା ଫେରାର ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ଛେଣ୍ଡିପଦା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ପରେ ଠକେଇର ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ପ୍ରକାଶ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page