ଅନୁଗୁଳ – ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାରେ ୧୨୦ ଶିକ୍ଷକଙ୍କ ବଦଳି ହୋଇଥିବା କଥା ବେଶ ଚର୍ଚ୍ଚାର ଖବର ପାଲଟିଛି । ଏକାବେଳେ ଏତେ ସଂଖ୍ୟାରେ ଶିକ୍ଷକ ବଦଳି ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ କଥାର ଗୁରୁତ୍ୱ ବୁଝି ରାଜ୍ୟ ସରକାରଙ୍କ ଅଡିସିନାଲ ସେକ୍ରେଟାରୀ ଗିରିଷ ଚନ୍ଦ୍ର ସିଂହ ଏହି ଘଟଣାର ତଦନ୍ତ ପାଇଁ ସେକେଣ୍ଡାରୀ ଏଜୁକେସନର ଡ଼ାଇରେକ୍ଟରଙ୍କୁ ଚିଠି କରିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୭ ଦିନ ଭିତରେ ଜବାବ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

ତେବେ ଏହି ଘଟଣାରେ ଏକ ମୋଟା ରକମର ଅର୍ଥ କାରବାର ହୋଇଛି ଵୋଲି ଚର୍ଚ୍ଚା ହେଉଛି । ୧୨୦ ଶିକ୍ଷକଙ୍କ ବଦଳି ପାଇଁ ପ୍ରାୟ ୩ କୋଟି ଟଙ୍କା ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ନେଇଥିବା କଥା ଚା ଖଟି ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣାର ସତ୍ୟାସତ୍ୟ କଣ ଜାଣିବା ପାଇଁ ଆମ ପ୍ରତିନିଧି ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ତେବେ ପ୍ରଶ୍ନ ପଚାରୁ ପଚାରୁ ମହାଶୟ ଚିହିଁକି ଉଠିଥିଲେ । ଆଉ ୧୨୦ ଶିକ୍ଷକ ବଦଳି କରିବା କଥା ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ । ଯିଏ କହୁଛି ସେ ମିଛ କହୁଛି ବୋଲି କହିଥିଲେ । ଆମ ପ୍ରତିନିଧି ଜିଲ୍ଲା ଶିକ୍ଷାଧିକାରୀଙ୍କ ଉତ୍ତର ଶୁଣିବା ପରେ ସରକାରୀ ଚିଠି ସମ୍ପର୍କରେ ପଚାରିଥିଲେ । ଆମ ପ୍ରତିନିଧି ପଚାରିଥିଲେ ଯେ , ତାହାଲେ ସରକାର ଏ ନେଇ ତଦନ୍ତ କରିବାକୁ ଏକ ଚିଠି କରିଛନ୍ତି । ସେହି ଚିଠି ଅନୁସାରେ ସରକାର କଣ ମିଛ କହୁଛନ୍ତି ? ଏହାର ଉତ୍ତରରେ ସେ ହଁ କହିବା ସହ ବ୍ୟସ୍ତତାର ବାହାନା ନେଇ ଫୋନ କାଟି ଦେଇଥିଲେ ।
ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ଉତ୍ତର ପରେ ନିର୍ଦେଶକଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା । ତଦନ୍ତ ପରେ ସରକାର ମିଛ କହୁଛନ୍ତି ନା ଜିଲ୍ଲା ଶିଖାଧିକାରୀ ତାହା ସ୍ପଷ୍ଟ ହୋଇ ପାରିବ ।

