ଯେଉଁ ଘରେ ଗତକାଲି ରାତିରେ ଶୁଭିଥିଲା ସ୍ୱାମୀଙ୍କ ମୃତ୍ୟୁ ଖବର, ମାତ୍ର ୨୪ ଘଣ୍ଟା ଭିତରେ ସେହି ପରିବାରକୁ ଦେଇଗଲା ଆଉ ଏକ ଦୁଃଖଦ ଖବର। ଅନୁଗୋଳ ଜରସିଂହାର ଜଣେ ପରିଚିତ ଆଇନଜୀବୀ ପବିତ୍ର ନାଏକଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ନାଏକଙ୍କ ମଧ୍ୟ ଅକାଳ ବିୟୋଗ ଘଟିଛି।
ସ୍ୱାମୀଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ସ୍ତ୍ରୀଙ୍କ ଅକାଳ ବିୟୋଗ। ଏଭଳି ଏକ ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ଜରାସିଂହା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଉଭୟଙ୍କ ମୃତ୍ୟୁକୁ ନେଇ ପରିବାର, ପରିଜନ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଜରାସିଂହା ଗ୍ରାମର ପବିତ୍ର ନାଏକ ଅନୁଗୋଳ କୋର୍ଟର ଜଣେ ପରିଚିତ ଆଇନଜୀବୀ ଥିଲେ। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପଟେ, ପବିତ୍ର ନାଏକଙ୍କ ସ୍ତ୍ରୀ ସାବିତ୍ରୀ ନାଏକ ଯେ କି ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରନ୍ତି ତାଙ୍କର ଦେହ ମଧ୍ୟ ଅସୁସ୍ଥ ଥିବାରୁ ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ତୁରନ୍ତ ଜଣାଯାଇ ନଥିଲା। ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିଲା।
ହେଲେ କଟକ ନିକଟରେ ତାଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ଆଗପଛ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଘଟଣାକୁ ନେଇ ଜରସିଂହା ସମେତ ଅନୁଗୋଳରେ ଶୋକର ଛାୟା ଖେଳିଯାଇଛି।

