ଅନୁଗୁଳ – ଅନୁଗୁଳ ସଦର ଥାନା ଆସିଆନା ହିଲ୍ ଭ୍ୟୁ ହୋଟେଲ, ପଞ୍ଚମହଳାରେ ଘଟିଥିବା ଚୋରି ଘଟଣାର ତିନି ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ମାର୍ଚ୍ଚ ମାସ ୨୪/୨୫ ତାରିଖ ରାତିରେ ଆସିଆନା ହୋଟେଲ କ୍ୟାଣ୍ଟିନ୍ରୁ ଚାଉଳ, ବାଲଟି , ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ଏ ନେଇ ହୋଟେଲ ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ସମୟରେ ବିଶ୍ୱସ୍ତ ଓ ସ୍ଥାନୀୟ ସୂଚନା ଆଧାରରେ ପୁରୁଣାଗଡ଼ ଗାଁର ମିକି @ ଜ୍ଞାନ ବିକାଶ ନାୟକକୁ ଗିରଫ କରିଥିଲା । ପୁଲିସ ବିକାଶକୁ ପଚରାଉଚରା କରିବା ପରେ ସେ ସତ ମାନିବା ସହ ସହଯୋଗୀ ନୂଆମୋୖଜା ଗାଁର ପ୍ରକାଶ ନାୟକ @ ନିଆଁକୁ ଗିରଫ କରିଥିଲା । ପରେ ଚୋରା ସାମଗ୍ରୀ କିଣିଥିବା କବାଡ଼ି ବ୍ୟବସାୟୀ ନୂଆମୋୖଜା ଗାଁର ଡାକୁ @ ସୁଜନ ନାୟକକୁ ମଧ୍ୟ ଗିରଫ କରିଥିଲା ।

ଅଭିଯୁକ୍ତମାନଙ୍କ ପାଖରୁ ଚୋରି ହୋଇଥିବା ସାମଗ୍ରୀ, ଗ୍ୟାସ ସିଲିଣ୍ଡର ଓ ଘଟଣାରେ ବ୍ୟବହୃତ ଏକ ମୋଟରସାଇକେଲ ଜବତ କରାଯାଇଛି । ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହା ସହ ଏହି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିବା ସହ ଅନ୍ୟାନ୍ୟ ଚୋରା ସାମଗ୍ରୀ ଉଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ଏହି ଅଭିଯୁକ୍ତ ମାନେ ସେମାନେ ବ୍ୟବହାର କରୁଥିବା ମୋଟରସାଇକେଲକୁ ଗୋଲାବନ୍ଧ ଅଞ୍ଚଳରୁ ମଧ୍ୟ ଚୋରି କରିଥିବା କଥା ସ୍ୱୀକାର କରିଛନ୍ତି ।

