ମୁଖ୍ୟ ଖବର ତିନି ଜଣଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଫାଶୀ Angul OnlineSeptember 27, 2024September 27, 2024 ଅନୁଗୁଳ – ୨୦୧୭ ମସିହାରେ ଅତି ବୀଭତ୍ସ ଭାବେ ପତି-ପତ୍ନୀ ଓ ସେମାନଙ୍କର ୪ ବର୍ଷର ପୁଅଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅତିରିକ୍ତ ସେସନ ଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଘରେ ରଖିଥିବା ଟଙ୍କା ହଡ଼ପ କରିବା ପାଇଁ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ ଏହି ହତ୍ୟାକାଣ୍ଡ ଭିଆଇଥିଲା ବେଳେ ଅଦାଲତ ତାଙ୍କ ବିରୋଧରେ ଏଭଳି କଠୋର ରାୟ ଦେଇଛନ୍ତି । ସୂଚନା ଅନୁସାରେ , ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଗମ୍ଭାରୀମଳିହା ଗାଁର ତାରିଣୀ ନାୟକଙ୍କ ମୃତଦେହ ୨୦୧୭ ଅକ୍ଟୋବର ୧୦ ତାରିଖରେ ଘରେ ପଡ଼ିଥିଲା । ଘର ଅନ୍ୟ ସଦସ୍ୟମାନେ ନିଖୋଜ ହୋଇଯାଇଥିଲେ । ଏଥିନେଇ ତାରିଣୀଙ୍କ ଦିଅର ସୁଶାନ୍ତ ନାୟକ କିଶୋରନଗର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସ ମୃତ ମହିଳାଙ୍କ ସ୍ବାମୀ ବିରଞ୍ଚି ନାୟକଙ୍କ ମୃତଦେହ ପାଖ ଜଙ୍ଗଲରୁ ଉଦ୍ଧାର କରିଥିଲା । ପରେ ତାଙ୍କ ୪ ବର୍ଷର ପୁଅର ବୀଭତ୍ସ ମୃତଦେହ ମଧ୍ୟ ପୁଲିସ ଅନ୍ୟ ଏକ ଜଙ୍ଗଲ ଭିତରୁ ଉଦ୍ଧାର କରିଥିଲା । ଯୋଜନାବନ୍ଧ ଏହି ତିନି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଅଳ୍ପକେ ସେମାନଙ୍କ ଝିଅ ବଞ୍ଚି ଯାଇଥିଲା । ପୁଲିସ ଘଟଣାକୁ ଗୁରୁତର ସହ ନେଇ ତତ୍କାଳୀନ ଏସ୍ପି ବ୍ରିଜେଶ ରାୟଙ୍କ ନିର୍ଦେଶକ୍ରମେ ବଛା ବଛା ପୁଲିସ ଅଧିକାରୀମାନଙ୍କ ଏକ ଟିମ୍ ଗଠନ କରି ତଦନ୍ତ କରିଥିଲେ । ତଦନ୍ତ ସମୟରେ ଟଙ୍କା କାରବାର ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଥିଲା । ଏକ ମହିଳା ଗୃପରୁ ତାରିଣୀ ଟଙ୍କା ଉଠାଇଥିଲା ବେଳେ ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ ଏହି ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ସଫଳ ନ ହେବାରୁ ତାରିଣୀ ଓ ତାଙ୍କ ସ୍ବାମୀଙ୍କ ସମେତ ଦୁଇ ଛୁଆଙ୍କୁ ଅତି ବୀଭତ୍ସ ଭାବେହତ୍ୟା କରିଥିଲେ। ହେଲେ ଦେଢ଼ ବର୍ଷର ଛୋଟ ଝିଅ ରକ୍ଷା ପାଇଯାଇଥିଲା । ଏହି ଟ୍ରିପଲ ମର୍ଡର ଘଟଣାର ବିଚାର ଆଠମଲ୍ଲିକ ଅତିରିକ୍ତ ସେସନ ଜଜ୍ ଲକ୍ଷ୍ମୀ ନାରାୟଣ ରାୟ ଚୌଧୁରୀଙ୍କ ଅଦାଲତରେ ଚାଲିଥିଲା । ବିଚାର ସମୟରେ ଅଦାଲତ ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତମାନେ ଜଣେ ଅସହାୟ ମହିଳା ଓ ଜଣେ ଶିଶୁଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏଣୁ ଏହା ବିରଳରୁ ବିରଳତମ ହତ୍ୟାକାଣ୍ଡ । ସଂପତ୍ତି ପାଇଁ ୩ ଜଣଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଆଇପିସିର ଦଫା ୩୦୨ ପାଇଁ ଫାଶୀ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ଆଇପିସିର ଦଫା ୩୬୪ ଅନୁସାରେ ସେମାନଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଆଇପିସି ଦଫା ୨୦୧ ଅନୁସାରେ ଦୁଇ ମାସ ଜେଲ ଓ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଏପଟେ ମୃତ ଦମ୍ପତ୍ତିଙ୍କ ଝିଅକୁ ୩୦ ଲକ୍ଷ ଟଙ୍କା ଅନୁକଂପାମୂଳକ ରାଶି ଯୋଗାଇ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । Advertisement
ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଲେ ଭିନ୍ନକ୍ଷମ ସତ୍ୟବ୍ରତ ଅନୁଗୁଳ – ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଅନୁଗୁଳର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।…
ଗୁଳିମାଡରେ ଜଣେ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର…
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ…