ଅନୁଗୁଳ – ବ୍ରାଉନସୁଗାର ସହ ବନ୍ଧୁକ ଜବତ ଘଟଣାର ଭିନ୍ନ ମୋଡ । ଡ୍ରଗ୍ସ ବେପାରି ସନ୍ଦେହରେ ଚଢ଼ାଉ କରିଥିଲା ପୁଲିସ । ଡ୍ରଗ୍ସ ସହ ପିସ୍ତଲ ମଧ୍ୟ ଜବତ କରିଥିଲା । ହେଲେ ତଦନ୍ତ ପରେ ଲୁଟେରା ବୋଲି ଜଣା ପଡିଥିଲା । ଲୁଟ ଉଦ୍ୟମ ପୂର୍ବରୁ ଲୁଟେରା ମାନଙ୍କୁ ଧରି ଯୋଜନା ଭଣ୍ଡୁର କରିବାକୁ ସକ୍ଷମ ହୋଇଥିଲା ପୁଲିସ ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଟାଉନ୍ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ, ଗୋଟେ ଗ୍ୟାଙ୍ଗ ତୁରଙ୍ଗ ମିନି ପଡିଆ ନିକଟରେ ଥିବା ଏକ ପାର୍କ ରେ ବସି ବ୍ରାଉନସୁଗାର ବେପାର ପାଇଁ ଯୋଜନା କରୁଛନ୍ତି। ସଙ୍ଗେ ସଙ୍ଗେ ଟାଉନ୍ ପୁଲିସ ତୁରଙ୍ଗ ମିନି ଷ୍ଟାଡିୟମ୍ ଅଞ୍ଚଳରେ ଚଢାଉ କରି ଏକ ନିଛାଟିଆ ସ୍ଥାନରେ ଏକ କାର୍ ସହ ଦୁଇ ବାଇକ୍ ଦେଖିବାକୁ ପାଇଥିଲା । ତେବେ ସେଠାରେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିବା ବେଳେ ଦୁଇ ଜଣ ଫେରାର୍ ହୋଇ ଯାଇଥିଲେ । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ୩୨ ଗ୍ରାମ ବ୍ରାଉନ ସୁଗାର, ଏକ ବନ୍ଧୁକ, ତିନି ଗୋଟି ଜୀବନ୍ତ ଗୁଳି, ଏକ ମାରଣାସ୍ତ୍ର, କିଛି ଚିଟ୍ ପେପର, ଲଙ୍କା ଗୁଣ୍ଡ, ବିଦେଶୀ ମଦ, ଚାରି ଗୋଟି ମୋବାଇଲ ଫୋନ ଜବତ ହୋଇଥିଲା । ତେବେ ତଦନ୍ତ ବେଳେ ଏହି ଯୁବକ ମାନେ ଅନୁଗୁଳରେ ଲୁଟ ଉଦ୍ୟମ କରିବାକୁ ଯୋଜନା କରୁଥିବା ଜଣା ପଡିଥିଲା । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏହି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଭୁବନେଶ୍ବର ଅଞ୍ଚଳର ଶିବବ୍ରତ ସ୍ଵାଇଁ, ହରିପ୍ରସାଦ ଦାସ ଓ ଶଲିଉଦ୍ଦିନ ଖାନ୍ । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ହତ୍ୟା, ରାହାଜାନି, ନିଶାଦ୍ରବ୍ୟ କାରବାର ଭଳି ଅନେକ ମାମଲା ରାଜ୍ୟର ବିଭିନ୍ନ ଥାନା ମାନଙ୍କରେ ରହିଥିବା ଜଣାପଡ଼ିଛି । ଏମାନେ କିଛିଦିନ ହେଲା ଅନୁଗୁଳ ଆସି ଭଡା ଘର ନେଇ ରହୁଥିଲେ । ଏମାନେ କିଛି ପେଟ୍ରୋଲ ପମ୍ପ ଓ ଫାଇନାନ୍ସ ସଂସ୍ଥା ଉପରେ ଲୁଟ ପାଇଁ ନଜର ରଖିଥିଲେ । ଏଥିପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି କି ଘର ଭଡା ଦେବା ପୂର୍ବରୁ ସେମାନଙ୍କ ସଠିକ୍ ସୂଚନା ରଖନ୍ତୁ । କିଛି ସନ୍ଦେହ ପ୍ରକଟ ହେଲେ ଥାନାରେ ସୂଚନା ଦିଅନ୍ତୁ। ଅପରାଧରେ ଲିପ୍ତ ଥିବା ଲୋକ ମାନଙ୍କୁ ଘର ଭଡା ଦେଲେ ଘର ମାଲିକଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ।

