ପୁଅ ବୋହୁଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ କୃଷ୍ଣା ମହାନ୍ତି

ଅନୁଗୁଳ – ବାଜି ରାଉତ ଛାତ୍ରାବାସର ଜମି ହଡ଼ପ ଉଦ୍ୟମ । ଏଭଳି ଅଭିଯୋଗ ଆଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ସମାଜସେବୀ କୃଷ୍ଣା ମହାନ୍ତି । ଆଉ ଏହି ଅଭିଯୋଗ ସେ ତାଙ୍କ ପୁଅ ଓ ବୋହୁଙ୍କ ନାମରେ ଆଣିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ।

ସୂଚନା ଅନୁସାରେ ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ମାଳତୀ ଚୌଧୁରୀଙ୍କ ଦ୍ବାରା ସ୍ଥାପିତ ବାଜି ରାଉତ ଛାତ୍ରାବାସ ବିପଦରେ ଅଛି ବୋଲି ଅଭିଯୋଗ ଆଣିଛନ୍ତି କୃଷ୍ଣା ମହାନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଛାତ୍ରାବାସର ସଂପତ୍ତି ଲୁଟ୍‌ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ଯାଇଛି । ବାଜି ରାଉତ ଛାତ୍ରାବାସ ପରିସରରେ କୃଷ୍ଣା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସମାଜସେବୀ ମାଳତୀ ଚୌଧୁରୀ ଅନୁଗୁଳରେ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରି ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ୧୯୯୬ ମସିହାରେ ମାଳତୀ ଦେବୀ ଏକ ୱିଲ ମାଧ୍ୟମରେ ନିଜ ଖରିଦ୍ ଜମିରୁ ୨.୨୩ ଏକର ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ । ନିକଟରେ ବାଜି ରାଉତ ଛାତ୍ରାବାସ ନାମରେ ଏହି ଜମିର ପଟ୍ଟା କରାଯାଇଛି । ଏହି ଜମିରେ ଛାତ୍ରାବାସ ଛିଡ଼ା ହୋଇଥିଲା ବେଳେ ଏଠାରେ ରହି ପିଲାମାନେ ପାଠ ପଢ଼ୁଛନ୍ତି । ତେବେ ଏହି ଅନୁ‌ଷ୍ଠାନର ସଂପତ୍ତିକୁ ହଡ଼ପ କରିବା ପାଇଁ କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ବୋହୂ ଚକ୍ରାନ୍ତ କରୁଛନ୍ତି । ସେମାନେ ଏନେଇ ଅଦାଲତରେ ଏକ ମାମଲା ଦାୟର କରି ଛାତ୍ରାବାସ ଜମିରୁ ଭାଗ ନେବାପାଇଁ ଉଦ୍ୟମ କରୁଛନ୍ତି । ଏପଟେ କୃୃ‌ଷ୍ଣା ମହାନ୍ତି ଛାତ୍ରାବାସର ସ୍ବାର୍ଥକୁ ଗୁରୁତ୍ବ ଦେଉଥିବାରୁ ଅମ୍ଳାନ ଓ ତାଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେବାସହ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ଏଥିରେ କୃଷ୍ଣା ମହାନ୍ତିଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଛି। ଭୟରେ ଏବେ ଶ୍ରୀମତୀ ମହାନ୍ତି ଛାତ୍ରାବାସ ଭିତରେ ଥିବା ନୁମା-ବାପୀ କୁଟୀରରେ ରହୁଛନ୍ତି। ଏହାକୁ ଛାତ୍ରାବାସ ମ୍ୟୁଜିୟମ୍ ଭାବେ ବ୍ୟବହାର କରାଯାଉଥିଲେ ମଧ୍ୟ ଅନ୍ୟ ଉପାୟ ନ ପାଇ ଏଠାରେ ସେ ରହୁଛନ୍ତି।


କେବଳ ସେତିକି ନୁହେଁ, ରେଡିଓ ଗୃହ କରାଇ ନଦେବା ଏବଂ ଛାତ୍ରାବାସର ଦୋକାନଗୃହକୁ ଜୋରକରି ଦଖଲ କରିବା ପରି କାମ ଚାଲିଛି। ଏଥିରେ ପୁଅ-ବୋହୂଙ୍କ ସମେତ ଆଉ କିଛି ଲୋକ ସାମିଲ ହୋଇଛନ୍ତି। ଏଥିପାଇଁ ଏହି ଛାତ୍ରାବାସର ସୁନାମ ବଜାୟ ରଖିବା ପାଇଁ ଛାତ୍ରାବାସର କର୍ମକର୍ତ୍ତା ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ ବେଳେ ଅନ୍ତର୍ଯ୍ୟାମୀ ବରାଳ, ଡକ୍ଟର ଇନ୍ଦିରା ଦାଶ, ଇଂ. ଧନେଶ୍ବର ସାହୁ, ଡ. ବିଶ୍ବଜିତ, କୈଳାସ ଚନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ନାଥ ଓ ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page