ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଜାତୀୟ ସ୍ତରର କ୍ରିକେଟ ମ୍ୟାଚ ପାଇଁ ଏକମାତ୍ର ଉପଯୋଗୀ ପଡିଆ କଦମ ପଡିଆ । ତେବେ ଏହି ପଡିଆର କର୍ମକର୍ତ୍ତା ମାନଙ୍କ ମନୋଭାବ ଦେଖି ଏବେ କ୍ରୀଡ଼ାପ୍ରେମୀ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏକ ଜାତୀୟ ସ୍ତରର ମୁକ ବଧିର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଏଠାରେ ଆୟୋଜନ କରିବାକୁ ମନା କରି ଦେଇ ଏକ ଟେନିସ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଦେବା ଘଟଣାକୁ କ୍ରୀଡ଼ାପ୍ରେମୀ ନିନ୍ଦା କରିଛନ୍ତି ।

ସୂଚନା ଅନୁସାରେ କଦମ ପଡିଆରେ ଜାତୀୟ ସ୍ତରୀୟ ମୁକ ବଧିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେପ୍ଟେମ୍ବର ମାସରେ ଆସୋସିଏସନ ପକ୍ଷରୁ ଅନୁଗୁଳ କ୍ରିକେଟ ଆସୋସିଏସନ ନିକଟରେ ଆବେଦନ କରାଯାଇଥିଲା । ଜାନୁଆରୀ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ହେବା ପାଇଁ ଅନୁମତି ମଗା ଯାଇଥିଲା । ଓଡିଶା , ଆନ୍ଧ୍ର ପ୍ରଦେଶ , ଉତ୍ତରପ୍ରଦେଶ ଭଳି ରାଜ୍ୟର ଖେଳାଳି ମାନେ ଅଂଶ ଗ୍ରହଣ କରିବାର ଥିଲା । ଏହି ଚାରୋଟି ଟିମରେ ଏକାଧିକ ଜାତୀୟ ସ୍ତ୍ରରର ଖେଳାଳି ମଧ୍ୟ ଥିଲେ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭର କିଛିଦିନ ପୂର୍ବରୁ ହଠାତ ଅନୁଗୁଳ କ୍ରିକେଟ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ପଡିଆ ଅନୁମତିକୁ ବାତିଲ କରି ଡ଼ିଆ ଯାଇଥିଲା । ଯାହା ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ଅନୁଗୁଳ ଫରେଷ୍ଟ ରେଞ୍ଜ କଲେଜ ପଡ଼ିଆରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।ହେଲେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇ ଖେଳାଳି ମାନେ ସେଠାରେ ମ୍ୟାଚ ଖେଳିଥିଲେ । ଏପରିକି ଖେଳାଳି ମାନେ ବସିବାକୁ ଛାଇ ଟିକିଏ ନଥିବା ଦେଖିବାକୁ ମିଳିଥିଲା । ତେବେ ଠିକ ଏହି ସମୟରେ ଅନୁଗୁଳ କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ଘରୋଇ କ୍ଲବକୁ ଟେନିସ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଦିଆ ଯାଇଥିଲା । ଯେଉଁଥିପାଇଁ କ୍ରିକେଟ ପ୍ରେମୀ ମାନଙ୍କ ମନରେ ଯେ କଦମ ପଡିଆ କ୍ରିକେଟ ଖେଳର ଉନ୍ନତି ପାଇଁ ନା ନିଜ ପ୍ରିୟପ୍ରୀତି ପୋଷଣ ପାଇଁ ବୋଲି ପ୍ରଶ୍ନ ଉଠିଥିଲା ।
ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ନାଥ ମିଶ୍ରଙ୍କୁ ପଚାରିବାରୁ ସେ ସଭାପତି ହିଁ ଏ କଥାର ଉତ୍ତର ଦେଇ ପାରିବେ ବୋଲି କହିଥିଲେ । ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଯେତେବେଳେ ଏ କଥା ପଚରା ଯାଇଥିଲା , ସେତେବେଳେ ସେ ହଠାତ ଚିହିଁକି ଯାଇଥିଲେ । ପଡିଆ କାମ ଚାଲୁଛି , ଆଉ ଫ୍ଲଡ଼ ଲାଇଟ କୌଣସି ମୁହୂର୍ତ୍ତରେ ପହଁଚିବାର ଅଛି ବୋଲି ଆମେ ପଡ଼ିଆରୁ ମୁକ ବଧିର ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ବାତିଲ କରିଥିଲୁ ବୋଲି କହିଥିଲେ । ତେବେ ସମାନ ସମୟରେ ସମାନ ଅସୁବିଧା ଥିବା ସତ୍ୱେ ଏକ ଘରୋଇ ଆୟୋଜକଙ୍କୁ ଟେନିସ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ କିଭଳି ଅନୁମତି ମିକିଲା ତାହା ଏବେ ପ୍ରଶ୍ନବାଚୀ ।
ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ତଳେ ଜିଲ୍ଲାରେ କ୍ରିକେଟ ଖେଳ ଖେଳୁଥିବା ଖେଳାଳି ମାନେ ଟେନିସ ବଲ କ୍ରିକେଟ ଛାଡି କିଭଳି ଡ୍ୟୁଜ ବଲ କ୍ରିକେଟ ଖେଳିବେ ସେ ନେଇ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କିଟ ବଣ୍ଟନ କରିଥିଲେ । ଆନ୍ତର୍ଜାତୀୟ ଖେଳାଳି ତଥା ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳର କୋଚ୍ ଗୌତମ ଗାମ୍ଭୀରଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ କ୍ଲବର ଖେଳାଳି ମାନଙ୍କୁ କଦମ ପଡିଆକୁ ଡାକି ବ୍ୟାଟ , ପ୍ୟାଡ଼ ତଥା ଅନ୍ୟାନ୍ୟ କିଟ ପ୍ରଦାନ କରାଯାଇଥିଲା । ସେହି ଜିଲ୍ଲା କ୍ରିକେଟ ଆସୋସିଏସନ ଆଜି କିଭଳି ଜିଲ୍ଲାର ଏକ ମାତ୍ର ଭରସାଯୋଗ୍ୟ କ୍ରିକେଟ ପଡ଼ିଆରେ ଟେନିସ ବଲ ଟୁର୍ଣ୍ଣାମେଣ୍ଟକୁ ଗୁରୁତ୍ୱ ଦେଉଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

