ଅନୁଗୁଳ – ଅପହରଣ ମାମଲାରେ ଜମି ବ୍ୟବସାୟୀ ତଥା ବିଲଡର ଗିରଫ । ଅନୁଗୁଳର ବିଶିଷ୍ଟ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦ ( ପିଣ୍ଟୁ)କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୁଲିସ । ଆଜି ସକାଳେ ଅନୁଗୁଳ ରେଜଷ୍ଟ୍ରି ଅଫିସରୁ ଜଣେ ଯୁବକଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ଯୁବକଙ୍କ ସ୍ତ୍ରୀ ।

ଅଭିଯୋଗ ଆଧାରରେ ଅପହରଣ ହୋଇଥିବା ଯୁବକ ଜଣଙ୍କ ହେଲେ ହୁଲୁରିସିଂହାର ପ୍ରଭାତ କୁମାର ପ୍ରଧାନ । ତାଙ୍କ ସ୍ତ୍ରୀ ବବିତା କରିଥିବା ଅଭିଯୋଗ ଅନୁସାରେ ହୁଲୁରିସିଂହାର ପ୍ରଭାତ ପ୍ରଧାନ କୌଣସି କାମରେ ଅନୁଗୁଳ ସବ-ରେଜଷ୍ଟ୍ରି ଅଫିସକୁ ଆସିଥିଲେ । ସେ ସେଠାରେ ଥିବା ବେଳେ ହଠାତ ପିଣ୍ଟୁ ନନ୍ଦ ଓ ତାଙ୍କର କିଛି ସହଯୋଗୀ ସେଠାରେ ପହଞ୍ଚି ପ୍ରଭାତକୁ ଆକ୍ରମଣ କରିବା ସହ ସେଠାରୁ ନେଇ ଯାଇଥିଲେ । ଖବର ପାଇ ପ୍ରଭାତଙ୍କ ସ୍ତ୍ରୀ ସେଠାରେ ପହଞ୍ଚି ଘଟଣା ଜାଣିବା ପରେ ଏ ନେଇ ଅନୁଗୁଳ ଥାନାରେ ତାଙ୍କ ସ୍ୱାମୀକୁ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ପିଣ୍ଟୁ ନନ୍ଦଙ୍କୁ ଗିରଫ କରିଛି । ଅନ୍ୟପଟେ ପ୍ରଭାତଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିବା ଜଣା ପଡ଼ିଛି । ପ୍ରଭାତଙ୍କୁ ନିସ୍ତୁକ ମାଡ ମରା ଯାଇଥିବା ସେ ଅଭିଯୋଗ କରିବା ସହ ତାଙ୍କଠାରୁ ଟଙ୍କା , ସୁନା ଆଦି ଲୁଟି ନେଇଥିବା କହିଛନ୍ତି । ପୁଲିସ ଏଜି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

