ଅନୁଗୁଳ – ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଗ୍ରାମାଞ୍ଚଳରେ କାମ କରୁଛନ୍ତି । ବହୁ ଝଡଝଞ୍ଜାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାରର ମାନସିକ ଚାପ ସମ୍ଭାଳି ଅନବରତ କାର୍ଯ୍ୟ କରୁଛନ୍ତି । ହେଲେ ମାସ ଶେଷରେ ଦରମା ମିକୁନି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅବହେଳା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ବ୍ଲକର ବିଭିନ୍ନ କର୍ମଚାରୀ । ଆଉ ଏହାର ସମାଧାନ ନ ହେଲେ ଆନ୍ଦୋଳନକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ଏବିଡ଼ିଓ , ଏଇଇ , ଡବ୍ଲୁଇଓ , ସିପି , ଏପିଓ , ପିଇଓ ଆଦି ବ୍ଲକର ବିଡ଼ିଓଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ , ସେମାନେ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଗ୍ରାଉଣ୍ଡ ଜିରୋରେ ରହି କାମ କରୁଛନ୍ତି । ଉପରିସ୍ଥ ଅଧିକାରୀ ଓ କାମ ଟାର୍ଗେଟ ଚାପରେ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ଝଡଝଞ୍ଜା ଭିତରେ ସେମାନଙ୍କୁ କାମ କରିବାକୁ ପଡୁଛି । ଏହି ସବୁ କାର୍ଯ୍ୟ ଭିତରେ ବିଭିନ୍ନ ପ୍ରକାରର ମାନସିକ ଚାପ ତାଙ୍କ ଉପରେ ରହୁଛି । ଏହାସତ୍ୱେ ସେମାନେ କାମକୁ ସୁଚାରୁରୂପେ ତୁଲାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ମାସ ଶେଷରେ ଦରମା ମିଳୁ ନଥିବାରୁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ଅନୁଭବ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଦରମା ସଠିକ ସମୟରେ ମିକୁ ନଥିବାରୁ ପାରିବାରିକ ସମସ୍ୟା ବୃଦ୍ଧି ପାଉଛି । ଆଉ ଏ ନେଇ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇବା ସହ ଅଭିଯୋଗ କଲେ ବିଡ଼ିଓଙ୍କ ଅଶାଳୀନ ବ୍ୟବହାର ତାଙ୍କୁ ଆହୁରି ବ୍ୟଥିତ କରୁଛି ଵୋଲି କହିଛନ୍ତି । କେବଳ ଯେ ଦରମା ମିଳୁ ନାହିଁ ତା ନୁହେଁ , ବକେୟା ମହଙ୍ଗା ଭତ୍ତା ପ୍ରଦାନ ହୋଇ ନାହିଁ , ବାର୍ଷିକ ଦରମା ଅଭିବୃଦ୍ଧି ପାଇଁ ଅନୁମୋଦନ ଓ ପ୍ରଦାନ କରାଯାଉ ନାହିଁ ଭଳି ୫ ଟି ଦାବି ସେମାନେ ବିଡ଼ିଓଙ୍କୁ ପୂରଣ କରିବାକୁ ଲେଖିଛନ୍ତି । ୧୫ ଦିନ ଭିତରେ ଏହାର ସମାଧାନ ନ କଲେ ସେମାନେ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


