ଅନୁଗୁଳ – ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଆଉ ପରେ ସେହି ଫଟୋ ଦେଖାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଏ ଏସ ଆଇକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଆଠମଲ୍ଲିକ ଅବକାରୀ ବିଭାଗରେ କାର୍ଯ୍ୟରତ ଏ ଏସ ଆଇ ସୁରେନ୍ଦ୍ର ପ୍ରଧାନ ।

ସୂଚନା ଅନୁସାରେ ସୁରେନ୍ଦ୍ର ପୂର୍ବରୁ ବ୍ରହ୍ମପୁର ଅଞ୍ଚଳରେ ଅବକାରୀ ଏ ଏସ ଆଇ ଭାବେ କାମ କରୁଥିଲେ । ସେଠାରେ ରହିବା ଭିତରେ ଇଂଷ୍ଟାଗ୍ରାମ ଜରିଆରେ ସେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅଭିଯୁକ୍ତ ସୁରେନ୍ଦ୍ର ଉଠାଇ ପର ମୁହୂର୍ତ୍ତରେ ଯୁବତୀଙ୍କୁ ବ୍ଲାକମେଲ କରିଥିଲା । ଭୟରେ ଯୁବତୀ ଜଣଙ୍କ ଉଧାର ଆଣି ସୁରେନ୍ଦ୍ରଙ୍କୁ ୪୦ ହଜାର ଟଙ୍କା ମଧ୍ୟ ଦେଇଥିଲେ । ପରେ ଯୁବତୀ ଜଣଙ୍କ ଏ ନେଇ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଆଠମଲ୍ଲିକରୁ ଗିରଫ କରିଛି ।

