ଅନୁଗୁଳ – ୫୫ ନମ୍ବର ନୂତନ ଜାତୀୟ ରାଜପଥରେ କାର ମଧ୍ୟରୁ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡସନ୍ତ୍ରୀ ପଞ୍ଚାୟତ ୫୫ ନମ୍ବର ନୂତନ ବାଇପାସ୍ ଜାତୀୟ ରାଜପଥରେ ଠିଆ ହୋଇଥିବା କାର (UP 64 AX 6424) ମଧ୍ୟରୁ ମୃତଦେହ ପୁଲିସ ଉଦ୍ଧାର କରିଛି।

ପୁଲିସର ସୂଚନା ଅନୁସାରେ, ଶନିବାର ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ ଯେ ରାସ୍ତା ପାର୍ଶ୍ୱରେ ଏକ କାର ଛିଡା ହୋଇଥିବା ବେଳେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ଭିତରେ ପଡି ରହିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତରେ କାରର କାଚ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ । ମୃତକ ଉତ୍ତରପ୍ରଦେଶ ରାଜ୍ୟର ଚୁରକା ଥାନା ସୋନଭଦ୍ରା ଅଞ୍ଚଳର ଅର୍ଜୁନ ସିଂହ ଚାନ୍ଦେଲଙ୍କ ପୁଅ ଅନୁରାଗ ସିଂହ ଚାନ୍ଦେଲ ବୋଲି ଜଣା ପଡ଼ିଛି । ସେ ଉତ୍ତରପ୍ରଦେଶ ବାର କାଉନ୍ସିଲର ଜଣେ ସଦସ୍ୟ । ସେ ପୁରୀ ଯାଇ ଫେରିବା ସମୟରେ ଏହିପରି ଅଘଟଣର ଶିକାର ହୋଇଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦେବା ସହ ମୃତଦେହକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହରେ ସଂରକ୍ଷିତ ରଖାଯାଇଛି । ପରିବାର ଲୋକେ ଆସି ପହଁଞ୍ଚିବା ପରେ ବ୍ଯବଛେଦ କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ।

