ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥମିବାର ନାଁ ଧରୁନି କୋଇଲା ପରିବହନର ତାତି । ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଏବେ ତୀବ୍ର ହେଉଛି ଆନ୍ଦୋଳନ । ଏହି କୋଇଲା ପରିବହନ ବନ୍ଦକୁ ନେଇ ଦୀର୍ଘ ଏକ ମାସ ହେବ କୋଶଳା ଗ୍ରାମବାସୀ ବାଇପାସ ରାସ୍ତା ନିର୍ମାଣ ଦାବିରେ ଅହୋରାତ୍ର ଧାରଣା ଦେଇଥିବାବେଳେ ଆଜି ଛେଣ୍ଡିପଦା ବ୍ଲକ ଟ୍ରକ ମାଲିକ ସଙ୍ଘ ପ୍ରଶାସନର ଅପାରଗତାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛି ।

ସୂଚନା ଅନୁସାରେ, ଛେଣ୍ଡିପଦା ନୈନି କୋଇଲା ଖଣିରୁ ଛେଣ୍ଡିପଦାରୁ ଅନୁଗୋଳ ଯାଇଥିବା ୬୩ ନମ୍ବର ରାଜ୍ଯ ରାଜପଥ ଦେଇ ଟ୍ରକ ଯୋଗେ କୋଇଲା ପରିବହନକୁ ବିରୋଧ କରି ଗତ ମାର୍ଚ୍ଚ ୫ ତାରିଖରୁ କୋଶଳା ଗ୍ରାମବାସୀ ଧାରଣା ଦେଇଛନ୍ତି । ଏଗା ସହିତ ନୈନି କୋଇଲା ଖଣିରୁ କୋଇଲା ବୋଝେଇ ହୋଇ କୋଶଳା ଗ୍ରାମ ମଧ୍ୟ ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଯାଉଥିବା ବେଳେ କୋଶଳା ଗ୍ରାମବାସୀ ଟ୍ରକ ଗୁଡିକୁ ଫେରାଇ ଦେଇଥିଲେ । ଫଳରେ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ପ୍ରାୟ ୬୩ଟି ଟ୍ରକ ଦୀର୍ଘ ୨୪ ଦିନ ଧରି ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମୁଖ ପାର୍କିଂ ପଡିଆରେ ଛିଡା ହେବା ପରେ ଟ୍ରକ ଗୁଡିକ ୮୫କିମି ପରିବର୍ତ୍ତେ ୨୪୦କିଲୋମିଟର ବୁଲି ଟ୍ରକ୍ ଗୁଡ଼ିକ ଖାଲି କରିଥିଲେ । ଟ୍ରକ ମାଲିକଙ୍କ କହିବାନୁଯାୟୀ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ଟ୍ରକ ଗୁଡିକ ନ ଚାଲିବାରୁ ସଦସ୍ୟ ମାନେ ଦୀର୍ଘ ଦିନ ହେବ ଆର୍ଥିକ ଶଙ୍କଟ ଦେଇ ଗତି କରିଛନ୍ତି l ଟ୍ରକ ଗୁଡିକ କୋଇଲା ଖଣି ଓ ଜିଲ୍ଲା ପ୍ରଶାସନର ନିୟମାନୁଯାୟୀ ନୈନି କୋଇଲା ଖଣିରୁ କୋଇଲା ବୋଝେଇ କରିଥିଲେ କିନ୍ତୁ କୋଶଳା ଗ୍ରାମବାସୀ କେବଳ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ଗାଡି ଗୁଡିକୁ ଯିବାକୁ ଅନୁମତି ଦେଉ ନାହାନ୍ତି । ଏନେଇ ୬୩ନଂ ରାଜ୍ୟ ରାଜପଥ ଦେଇ କୋଇଲା ଟ୍ରକ ଚଳାଚଳ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଉ ନାହିଁ । ଫଳରେ ପ୍ରଶାସନର ଅଣଦେଖା ବିରୁଦ୍ଧରେ ସୋମବାର ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ ସଭାପତି ମହେଶ୍ୱର ବେହେରାଙ୍କ ନେତ୍ରତ୍ୱରେ ଟ୍ରକ ମାଲିକ ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନକୁ ଛେଣ୍ଡିପଦାରେ ଥିବା ମହାବୀର ଶ୍ରମିକ ସଙ୍ଘ, ମହାଶକ୍ତି ଶ୍ରମିକ ସଙ୍ଘ, ଆମ୍ବେଦକର ଲୋହିଆ ଶ୍ରମିକ ସଙ୍ଘ, ତାରିଣୀ ଶ୍ରମିକ ମଙ୍ଗଳ ସଙ୍ଘ ଓ କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ଯଦି ପ୍ରଶାସନ ପକ୍ଷରୁ ସମାଧାନ କରା ନ ଯାଏ, ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଟ୍ରକ ମାଲିକ ସଙ୍ଘ କଡା ଚେତାବନୀ ଦେଇଥିଲେ । ଅପରପକ୍ଷେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଅପରାହ୍ନ ୫ଟା ବେଳେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ପରିସରରେ ଉପ ଜିଲ୍ଲାପାଳ ମାୟାଧର ବେହେରାଙ୍କ ନେତୃତ୍ୱରେ ଟ୍ରକ ମାଲିକ ସଙ୍ଘର ସଦସ୍ୟ ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ବସିଥିଲା । ଉକ୍ତ ବୈଠକରେ ଛେଣ୍ଡିପଦା ତହସିଲଦାର ମାନସ ରାୟ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ, ଟ୍ରକ ମାଲିକ ସଙ୍ଘର ସଭାପତି ମହେଶ୍ୱର ବେହେରା, ସମ୍ପାଦକ ସୁବୋଧ ବେହେରା, ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ, ଜିଲ୍ଲାପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ସମେତ ୧୫ରୁ ଉର୍ଦ୍ଧ ଟ୍ରକ ମାଲିକ ଯୋଗ ଦେଇଥିଲେ । ବୈଠକରେ ୬୩ ନଂ ରାଜ୍ୟ ରାଜ ପଥରେ ଟ୍ରକ ଚଳା ଚଳ ନେଇ ଦାବୀ କରିଥିଲେ । ରାଜପଥରେ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ଟ୍ରକ ଚଳାଚଳ ନକଲେ ଛେଣ୍ଡିପଦା ଦେଇ କୌଣସି ଭାରୀଯାନ ଚଳା ଚଳ କରାଇ ଦେବେ ନାହିଁ ବୋଲି କହିଥିଲେ । ଏନେଇ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ କୋଶଳା ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଆସନ୍ତା ୯ ତାରିଖ ପରେ ବୈଠକ ଅଛି । ଓତେଣୁ ଉକ୍ତ ବୈଠକ ସାରିବା ପର୍ଯ୍ୟନ୍ତ କୌଣସି ଆନ୍ଦୋଳନକୁ ସ୍ଥଗିତ ରଖିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜାଇ ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏନେଇ ପ୍ରଶାସନକୁ ସମ୍ମାନ ଜଣାଇ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ ବୋଲି ନିଷ୍ପତି ନିଆଯାଇଥିବା ସମ୍ପାଦକ ସୁବୋଧ ବେହେରା ପ୍ରକାଶ କରିଛନ୍ତି l କୋଶଳା ଗ୍ରାମବାସୀଙ୍କୁ ନେଇ ପୁଣି ଥରେ ବୈଠକ କରାଯିବ ।

