ଚୋରା ମୋବାଇଲ ଓ ମୋଟରସାଇକେଲ ହସ୍ତାନ୍ତର କଲା ପୁଲିସ – କେନ୍ଦ୍ରମନ୍ତ୍ରୀ ଦେଲେ ଯୋଗ

ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲା ପୁଲିସ ପକ୍ଷରୁ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ମେଳାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ , ମୋଟରସାଇଜେଲ ଆଦି ଉଦ୍ଧାର କରି ତାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରା ଯାଇଥିଲା । ଏଥିରେ ୧୮ ରି ଚୋରା ମୋଟରସାଇକେଲ , ୫୭୬ ଟି ମୋବାଇଲ ଫୋନ ହସ୍ତାନ୍ତର କରାଯାଇଥିଲା । ଏହା ସହ ୩୧୦ ଜଣ  ସିନିୟର ସିଟିଜନ ମାନଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ବଣ୍ଟନ ମେଳା’ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ସେବା ଦିଗରେ ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସମୟରେ ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍‌ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି । ଜନସାଧାରଣଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ପୋଲିସ ପ୍ରଶାସନର ଏହି ନିଷ୍ଠାପର ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପୋଲିସର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ପରାଧୀନ ମାନସିକତାରୁ ବାହାରି ଏବେ ‘ଭାରତୀୟ ନ୍ୟାୟ ସଂହିତା’ର ସଫଳ କ୍ରିୟାନ୍ୱୟନ କରାଯାଉଛି । ଅନେକ ଦଶକ ପରେ ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଶାସନକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିପାରିଛି ।ଅନୁଗୋଳ ଜିଲ୍ଲା ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ବରଂ ନୂତନ ଆଇନ ପ୍ରୟୋଗ ଏବଂ ସାମାଜିକ ଦାୟିତ୍ୱବୋଧର ସମନ୍ୱୟ ରକ୍ଷା କରି ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି । ପୋଲିସ ପ୍ରଶାସନର ଏଭଳି ସକାରାତ୍ମକ କାର୍ଯ୍ୟଧାରା ସାଧାରଣ ଜନତାଙ୍କ ମନରେ ସୁରକ୍ଷା ଓ ଭରସାକୁ ଆହୁରି ଦୃଢ଼ୀଭୂତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି  ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page