ଅନୁଗୁଳ – ଅନୁଗୁଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ଧର୍ମପତ୍ନୀ ନଳିନୀପ୍ରଭା ଦେହୁରୀ(୬୩)ଙ୍କ ପରଲୋକ ହୋଇଛି। କିଛି ଦିନ ହେଲା ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ଣ ସାଢ଼େ ୩ଟା ସମୟରେ ତାଙ୍କୁ ହୃଦ୍ଘାତ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ବାମୀଙ୍କ ସମେତ ଦୁଇ ପୁଅ ମାନସ ରଞ୍ଜନ ଦେହୁରୀ ଓ ଶାନ୍ତନୁ ଦେହୁରୀ ଉପସ୍ଥିତ ଥିଲେ। ମୃତଦେହକୁ ତାଙ୍କ ନିଜ ଗାଁ ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମଧୁପୁର ଗାଁରେ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗାଁରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଜଣେ ଧର୍ମପ୍ରାଣା, ପରୋପକାରୀ ଓ ସହୃଦୟା ମହିଳା ଭାବେ ସେ ବେଶ୍ ପରିଚିତ ଥିଲେ। ନନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ମଧ୍ୟ କାମ କରିଥିଲେ। ତାଙ୍କ ବିୟୋଗରେ ବନ୍ତଳା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।


