ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୩ ନମ୍ବର ରାଜ୍ୟ ରାଜପଥ କୁଦପାଳ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୁଦପାଳ ନିକଟ ୬୩ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସୂଚନା ଅନୁଯାୟୀ, କୋଶଳା ଗ୍ରାମର କାହ୍ନା ସାହୁ ଓ କୃଷ୍ଣଚନ୍ଦ୍ର ସାହୁ ଜିନ୍ଦଲ ରଥଯାତ୍ରା ଦେଖି ବାଇକ୍ରେ ଫେରୁଥିବା ବେଳେ ବିପରୀତ ଦିଗରୁ କୋଶଳା ରଥଯାତ୍ରା ଦେଖି ଫେରୁଥିବା ଆକାଶ ବେହେରା ଓ ରଞ୍ଜୁ ବେହେରାଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କୋଶଳା ଗ୍ରାମର କାହ୍ନା ସାହୁ ଏବଂ ରାଇଝରଣ ସିତିରା ସାହିର ଆକାଶ ବେହେରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ରଞ୍ଜୁ ବେହେରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ କୋଶଳା ଓ ରାଇଝରଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


