ଅନୁଗୋଳ – ଅନୁଗୋଳ ଜିଲ୍ଲାର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରଦଣ୍ଡାଦେଶ । କାରାଦଣ୍ଡାଦେଶ ଦେଲେ ଅନୁଗୁଳ ଫାଷ୍ଟ ଟ୍ରାକ କୋର୍ଟ ବିଚାର ପତି ବିରଞ୍ଚି ନାରାୟଣ ମିଶ୍ର ।

ସୂଚନା ଅନୁସାରେ ୨୦୨୪ ମସିହାରେ ଅନୁଗୋଳ ସହରର ଗୋପବନ୍ଧୁ ପାର୍କରେ ଜଣେ ଯୁବତୀ ଓ ଜଣେ ନାବାଳିକା ଏକାଠି ବସିଥିବା ବେଳେ ସେମାନଙ୍କ ପରିଚିତ ଦୁଇ ଯୁବକ ପହଞ୍ଚିଥିଲେ । ସେଠାରୁ ଡେରେଜାଙ୍ଗ ପ୍ରଜେକ୍ଟ ଆଡକୁ ବୁଲିଯିବା କହି ଯୁବକ ଦୁଇଜଣ ଜଣେ ବନ୍ଧୁଙ୍କ କାରରେ ଉଭୟଙ୍କୁ ଡାକି ନେଉଥିଲେ । ତେବେ ବାଟରେ ନିଶା ଦେଇ ଯୁବତୀ ଓ ନାବାଳିକାଙ୍କୁ ଅପହରଣ କରି ମହିତଳା ଜଙ୍ଗଲରେ ଦୁଷ୍କର୍ମ କରିଥିଲେ ୫ ଅଭିଯୁକ୍ତ । ପରେ ଗ୍ରୁରୁତର ଅବସ୍ଥାରେ ଅନୁଗୋଳ ସହରର ଗୋପବନ୍ଧୁ ପାର୍କରେ ଛାଡି ପଳାଇ ଯାଇଥିଲେ । ଭୋର ସମୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କିଛି କିନ୍ନର ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେମାନଙ୍କ ଚିକିତ୍ସା କରାଇବା ସହ ସେମାନଙ୍କ ଅଭିଯୋଗ ଆଧାରରେ ଟାଇଁସି ଗାଁର ଜିତୁ ସାହୁ , ବଡହରା ଗାଁର ହୃଦୟ ପ୍ରଧାନ , ପାଟପୁର ଗାଁ ର ଅସିତ ସାହୁ ଓ ଖଲାରୀ ଗାଁର ଦିବ୍ୟ ଅମାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ୪ ଜଣଙ୍କୁ ଆଜି କୋର୍ଟ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ଲିଙ୍ଗରାଯୋଡି ଗାଁର ଆଦିତ୍ୟ ସାହୁ ଫେରାର ଥିବା ବେଳେ ପରେ ଆତ୍ମସମର୍ପଣ କରିଥିଲା । ଉକ୍ତ ଯୁବକଙ୍କ ମାମଲା ବିଚାରାଧୀନ ରହିଛି । ସରକାରଙ୍କ ପକ୍ଷରୁ ସ୍ପେସିଆଲ ପିପି ରଞ୍ଜନ ପାତ୍ର ମାମଲା ପରିଚାଳନା କରିଥିଲେ ।


