ଅନୁଗୋଳ – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ କଂଗ୍ରେସ ଓ ବିଜେଡିର ଆନ୍ଦୋଳନର ପାଲଟା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରତିବାଦ ରାଲି ଓ ସଭା ଆୟୋଜନ କରାଯିବା ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ବିଜେପି କର୍ମୀମାନେ ରାଲିରେ ବାହାରି ଛକରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଏହି ଅବସରରେ ବିଜେପି ନେତାମାନେ କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତି ଦୁର୍ନୀତି ଓ ବିଭିନ୍ନ ଅପରାଧ ଘଟଣା ଘଟିଥିଲେ ମଧ୍ୟ କୌଣସି ମନ୍ତ୍ରୀ ଇସ୍ତଫା ଦେଇନଥିଲେ। ସେହିପରି ବିଜେଡି ଶାସନ ସମୟରେ ମଧ୍ୟ ଅନେକ ବିବାଦ ସତ୍ତ୍ୱେ ଦାୟିତ୍ୱ ନେବାର ଉଦାହରଣ ନଥିବା ବେଳେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା କେବଳ ରାଜନୈତିକ ନାଟକ ବୋଲି ସେମାନେ ଅଭିଯୋଗ କରିଥିଲେ।
ବିଜେପି ନେତାମାନେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରି “କଂଗ୍ରେସ-ବିଜେଡି ଦୁଇ ଭାଇ” ସ୍ଲୋଗାନ ଦେଇଥିଲେ। ଏହାସହ ରାହୁଲ ଗାନ୍ଧୀ ବିଦେଶରେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ତାହାର କଡ଼ା ନିନ୍ଦା ମଧ୍ୟ କରିଥିଲେ।


