ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟି (DPC) ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟୀ ହେବା ପରେ ବୁଧବାର ଦଳର ବିଜୟୀ ପ୍ରାର୍ଥୀମାନେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି।
ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ସୌଜନ୍ୟ ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ଲୋକସଭା ପ୍ରାର୍ଥୀ ଡ଼. ଅବିନାଶ ସାମଲ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା ଓ ମୁକେଶ ପାଲ, ବରିଷ୍ଠ ବିଜେଡି ନେତା ବିପ୍ଳବ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଉପାଧ୍ୟକ୍ଷା ରଶ୍ମିତା ସେଠୀ, ସମସ୍ତ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା, ଅନୁଗୋଳ ବାର ଆସୋସିଏସନର ସଭାପତି ଦିଲ୍ଲୀପ ସାହୁଙ୍କ ସମେତ ଜିଲ୍ଲା ବିଜେଡିର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ଦଳ ପକ୍ଷରୁ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୟ ପାଇଁ ଅନୁଗୋଳବାସୀ, ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଯାଇଥିଲା। ଭବିଷ୍ୟତରେ ମଧ୍ୟ ଜନସେବା ଓ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରାଯାଇଥିଲା।


