ଅନୁଗୋଳ: ଅନୁଗୋଳ ସହରର ଶିମିଳିପଡ଼ା ଅଞ୍ଚଳରେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅନୁଗୋଳ ଫାଷ୍ଟ ଟ୍ରାକ୍ କୋର୍ଟ। ଆଡ୍ହକ୍ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଦୋଷୀ ସତ୍ୟବ୍ରତ ମିଶ୍ର ଓରଫ ‘କାଳିଆ’ (୨୨)ଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲା ଅନୁଯାୟୀ, ୨୦ ମେ ୨୦୨୫ରେ ପୀଡ଼ିତାଙ୍କ ମାଆ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ମେ ୧୯ ତାରିଖରେ ଶିମିଳିପଡ଼ା ଅଞ୍ଚଳର ସତ୍ୟବ୍ରତ ଜଣେ ୭ ବର୍ଷୀୟା ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୂର୍ବରୁ ମଧ୍ୟ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ରହିଥିଲା।
ଅଭିଯୋଗ ପରେ ଅନୁଗୋଳ ଥାନା ଆଇ ଆଇ ସି ,ଧୀରେଶ ଦାସ ନିଜେ ଘଟଣାର ଟିଖିନିଖି ତଦନ୍ତ କରି ମେ ୨୨ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ନାବାଳିକାଙ୍କ ବୟାନ ଭିଡିଓଗ୍ରାଫି ମାଧ୍ୟମରେ ରେକର୍ଡ କରାଯିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଥିଲା। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହ DNA ଓ ଅନ୍ୟାନ୍ୟ ନମୁନା ପରୀକ୍ଷା ପାଇଁ SFSL, ଭୁବନେଶ୍ୱରକୁ ପଠାଯାଇଥିଲା।
ପୋଲିସ ଦାଖଲ କରିଥିବା ଚାର୍ଜସିଟ୍, ଡାକ୍ତରୀ ଓ ବୈଜ୍ଞାନିକ ପ୍ରମାଣ ସହ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ରଞ୍ଜନ ପାତ୍ର ମାମଲା ପରିଚାଳନା କରିଥିବାବେଳେ ଡେପୁଟି ଡାଇରେକ୍ଟର ପ୍ରସିକ୍ୟୁସନ୍ ଗଣେଶ କୁମାର ବେହେରା ତାଙ୍କୁ ସହଯୋଗ କରିଥିଲେ।

