ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତେବୁଡୁ ଗ୍ରାମରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ରଞ୍ଜିତ ନାୟକଙ୍କ ପତ୍ନୀ ସରିତା ନାୟକ।

ସୂଚନା ଅନୁଯାୟୀ, ସପ୍ତାହେ ପୂର୍ବେ ସରିତା ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବା ପରେ ପୁଣି ଜ୍ୱର ହେବାରୁ ପରିବାର ଲୋକ ତାଙ୍କୁ ବୁଢ଼ାପାଳର ଏକ ଘରୋଇ ଲ୍ୟାବରେ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ସରିତା ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଗଡିଆ ଥାନା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

