ଅନୁଗୋଳ – ଗାଡ଼ି ଯୋଗାଣ ଟେଣ୍ଡରରେ ନିର୍ଦ୍ଧାରିତ ସର୍ତ୍ତ ପାଳନ ନକରିବା ତାଳଚେରର ଏମ୍/ଏସ୍ SNS Industrial Works Pvt. Ltd.କୁ ମହଙ୍ଗା ପଡ଼ିଛି। ଟେଣ୍ଡରରେ L-1 ବିଡର୍ ଭାବେ ଚୟନ ହେବା ପରେ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ଗାଡ଼ି ଯୋଗାଇବାରେ ଅସମର୍ଥତା ଦର୍ଶାଇବାରୁ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛି।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ୧୪ ଜୁଲାଇ ୨୦୨୬ରେ ଏନେଇ ଆଦେଶ ଜାରି କରିଥିବାବେଳେ, ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗ ୧୨ ଅଗଷ୍ଟରେ ସମସ୍ତ ବିଭାଗକୁ ଚିଠି ଦେଇ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛି।
ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗ ଅଧୀନ ବିଭିନ୍ନ ପ୍ରତିଷ୍ଠାନର ଜରୁରୀ କାର୍ଯ୍ୟ ପାଇଁ ୩୮ଟି ଘରୋଇ ଚାରିଚକିଆ ଯାନ ଭଡ଼ାରେ ନେବାକୁ ୨୫ ଜୁଲାଇ ୨୦୨୫ରେ GeM ପୋର୍ଟାଲ୍ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡରର ଅତିରିକ୍ତ ସର୍ତ୍ତାବଳୀର ଧାରା ୨.୧୪ ଅନୁଯାୟୀ, ବିଡର୍ମାନେ କେବଳ ନିଜ ମାଲିକାନାରେ ଥିବା ଗାଡ଼ି ଯୋଗାଇପାରିବେ। ଅନ୍ୟ ସଂସ୍ଥାଠାରୁ ଗାଡ଼ି ନେଇ ଯୋଗାଣ କିମ୍ବା କନସୋର୍ଟିୟମ୍ ଗଠନକୁ ଅନୁମତି ନଥିଲା।
ତାଳଚେରର SNS Industrial Works ଏହି ସର୍ତ୍ତ ପାଳନ କରିବାକୁ ଘୋଷଣାପତ୍ରରେ ଲିଖିତ ପ୍ରତିଶ୍ରୁତି ଦେଇଥିଲା। ପରେ ରିଭର୍ସ ଅକ୍ସନ୍ ଶେଷ ହେବା ପରେ ସଂସ୍ଥା L-1 ବିଡର୍ ଭାବେ ଚୟନ ହୋଇଥିଲା। ତେବେ ୨୬ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ଅପରେସନାଲ୍ ରେଡିନେସ୍ ବୈଠକରେ ସଂସ୍ଥା ନିଜ ପୂର୍ବ ଘୋଷଣାରୁ ଓହରି ଯାଇଥିଲା। ଟେଣ୍ଡର ସର୍ତ୍ତ ଅନୁଯାୟୀ ନିଜ ମାଲିକାନାର ଗାଡ଼ି ଯୋଗାଇବା ସମ୍ଭବ ନୁହେଁ ବୋଲି ସଂସ୍ଥା ଜଣାଇଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟୀକରଣ ପାଇଁ ଏକାଧିକ ଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ସନ୍ତୋଷଜନକ ଉତ୍ତର ମିଳିନଥିଲା।
ଶେଷରେ ୧୧ ସେପ୍ଟେମ୍ବର ୨୦୨୫ରେ ସଂସ୍ଥା ଦେଇଥିବା ଚିଠିରେ ଭଡ଼ା କିମ୍ବା ହାୟାର-ପରଚେଜ୍ ଭିତ୍ତିରେ ଗାଡ଼ି ଯୋଗାଣ କରୁଥିବା ସ୍ୱୀକାର କରିଥିଲା। ଭିଜିଲାନ୍ସର ମତରେ, ଏହା ଟେଣ୍ଡରର ଧାରା ୨.୧୪ର ସ୍ପଷ୍ଟ ଉଲ୍ଲଂଘନ। ଏହି ଅନୁପାଳନ ଅଭାବ ଯୋଗୁଁ ପୁନର୍ବାର ଟେଣ୍ଡର ପ୍ରକ୍ରିୟା କରିବାକୁ ପଡ଼ିଥିବାରୁ ଜରୁରୀ କାର୍ଯ୍ୟ ପାଇଁ ଗାଡ଼ି ମୁତୟନରେ ପ୍ରଶାସନିକ ବିଳମ୍ବ ଘଟିଥିବା ଭିଜିଲାନ୍ସ ଦର୍ଶାଇଛି।
ସମସ୍ତ ତଥ୍ୟ ଓ ଦସ୍ତାବିଜ ଯାଞ୍ଚ ପରେ SNS Industrial Worksକୁ ‘ଡିଫଲ୍ଟିଂ ଏଜେନ୍ସି’ ଘୋଷଣା କରି କଳାତାଲିକାଭୁକ୍ତ କରାଯାଇଛି। ଏଥିସହ ଭବିଷ୍ୟତରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆହ୍ୱାନ କରାଯାଉଥିବା କୌଣସି ବିଡ୍ କିମ୍ବା ଟେଣ୍ଡରରେ ସଂସ୍ଥା ଅଂଶଗ୍ରହଣ କରିପାରିବ ନାହିଁ। ଏହି ଆଦେଶ ତୁରନ୍ତ ଲାଗୁ ହେବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି।

