ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ – ଯୋଗଦେଲେ ମୁଖ୍ୟମନ୍ତ୍ରୀ

ତାଳଚେର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ତାଳଚେରର ଗୁରୁଜାଙ୍ଗ। ସ୍ୱାମୀଜୀଙ୍କ ଜନ୍ମମାଟିରେ ଆଜି ଆୟୋଜିତ ହୋଇଛି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ। ଏହି ଅବସରରେ ହଜାର ହଜାର ସାଧୁସନ୍ଥ, ଭକ୍ତ, ଶ୍ରଦ୍ଧାଳୁ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୁରୁଜାଙ୍ଗରେ ପହଞ୍ଚି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କରିବା ସହ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ସହ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ କରିଥିଲେ। ଜନଜାତି ସମାଜର ସେବା ଏବଂ ଧର୍ମାନ୍ତରୀକରଣ ବିରୋଧରେ ସ୍ୱାମୀଜୀଙ୍କ ଅବଦାନ ଉପରେ ସେ ଆଲୋକପାତ କରିଥିଲେ। ସ୍ୱାମୀଜୀଙ୍କ ଆଦର୍ଶରେ ହଜାର ହଜାର ଯୁବକ ଅନୁପ୍ରାଣିତ ହୋଇଥିବା ସେ କହିଥିଲେ।

୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଉଠାଇଥିଲେ। ତତ୍‌କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଏବଂ ହତ୍ୟାକାଣ୍ଡ ପରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଇନଥିବା ନେଇ ସେ ଅଭିଯୋଗ କରିଥିଲେ। ତଦନ୍ତ କମିଶନ ରିପୋର୍ଟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

ଶତବାର୍ଷିକୀ ମହୋତ୍ସବ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ, ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବିଶାଳ ଜନସମାଗମ ଓ ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ରକ୍ଷା ଉପରେ ମଧ୍ୟ ପୋଲିସ ନଜର ରଖିଥିଲା। ଶେଷରେ ଶାନ୍ତିଶୃଙ୍ଖଳାର ସହ ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page