ସୁନା ସଫା କରିବା ଆଳରେ ଲୁଟ୍‌ – ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ୪ ଗିରଫ

ନୁଗୋଳ – ସୁନା ଅଳଙ୍କାର ସଫା କରିବା ଆଳରେ ଠକେଇ ଓ ଲୁଟ୍‌ ଚଳାଇଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଅନୁଗୋଳ ପୋଲିସ। ଛେଣ୍ଡିପଦା ଓ କୋଶଳା ଅଞ୍ଚଳରେ ଦୁଇ ମହିଳାଙ୍କଠାରୁ ପ୍ରାୟ ୪୦ ଗ୍ରାମ ସୁନା ଚେନ୍‌ ଲୁଟ୍‌ ଘଟଣାରେ ଦୁଇ ଆନ୍ତଃରାଜ୍ୟ ଲୁଟେରାଙ୍କ ସମେତ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁସାରେ, ଗତ ଅଗଷ୍ଟ ୨୬ ତାରିଖରେ ଦୁଇ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିଦେବାକୁ କହି ଦୁର୍ବୃତ୍ତମାନେ ବିଶ୍ୱାସ ଜିତିଥିଲେ। ପରେ ସୁନା ସଫା କରିବା ବାହାନାରେ ପ୍ରାୟ ୨୦ ଗ୍ରାମ ଲେଖାଏଁ ଦୁଇଟି ସୁନା ଚେନ୍‌ ନେଇ ଫେରାର ହୋଇଯାଇଥିଲେ।

ଅଭିଯୋଗ ପରେ ଛେଣ୍ଡିପଦା SDPO ରମାକାନ୍ତ ମାହାଳିକଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବାଲିପାଟ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ବିହାରର କଟିହାର ଅଞ୍ଚଳର ଚନ୍ଦନ କୁମାର ଦାସ ଓ ଶ୍ରବଣ କୁମାର ସାହ। ସେମାନଙ୍କ ଦୁଇ ସହଯୋଗୀ ତାଳଚେର ଅଞ୍ଚଳର କୌଶାର ଅଲି ଓ ପୁରୁଷୋତ୍ତମ ନାଏକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଅଭିଯୁକ୍ତଙ୍କ ନିକଟରୁ ୪ଟି ସୁନା ଚେନ୍‌, ଗୋଟିଏ ଆପାଚି ବାଇକ୍‌, ୨ଟି ମୋବାଇଲ୍‌ ଫୋନ୍‌, ସୁନା ସଫା ପାଉଡର ଓ ବ୍ରସ୍‌ ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ ଅନ୍ୟ କେଉଁ ଅଞ୍ଚଳରେ ଏଭଳି ଲୁଟ୍‌ କରିଛି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page