ଉପଖଣ୍ଡ କ୍ରୀଡ଼ା ସଂସଦ ପୁନର୍ଗଠନ ନେଇ ବୈଠକ – ନୂତନ କୋଠା ନିର୍ମାଣ ସହ କ୍ରୀଡ଼ା ସଂସଦକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ

ଅନୁଗୋଳ – ଅନୁଗୋଳ ଉପଖଣ୍ଡ କ୍ରୀଡ଼ା ସଂସଦର ପୁନର୍ଗଠନ ନେଇ ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ସର୍କିଟ୍ ହାଉସ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କ୍ରୀଡ଼ା ସଂସଦର ବହୁ ପୁରାତନ ସଦସ୍ୟ, କ୍ରୀଡ଼ାପ୍ରେମୀ ଓ ପୁରୁଖା ଖେଳାଳିମାନେ ଯୋଗ ଦେଇଥିଲେ।

ବିଭିନ୍ନ କାରଣରୁ ଅନୁଗୋଳ ଉପଖଣ୍ଡ କ୍ରୀଡ଼ା ସଂସଦ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଥିବାରୁ ଅଞ୍ଚଳର କ୍ରୀଡ଼ାର ବିକାଶ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇପାରୁନାହିଁ। ଏହାକୁ ପୁନର୍ଗଠନ କରି ପୁଣିଥରେ ସକ୍ରିୟ କରିବା ଦାବିରେ କ୍ରୀଡ଼ାପ୍ରେମୀ ଓ ପୁରୁଖା ଖେଳାଳିମାନେ ବିଧାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଧୈର୍ଯ୍ୟର ସହ ଶୁଣିବା ପରେ ବିଧାୟକ ଶ୍ରୀ ପ୍ରଧାନ ଉପଖଣ୍ଡ କ୍ରୀଡ଼ା ସଂସଦର ପୁନର୍ଗଠନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଏଥିସହ ସଂସଦର ନୂତନ କମିଟିକୁ ମନୋନୟନ ପଦ୍ଧତିରେ ଗଠନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସେହିପରି ପୁରୁଣା କ୍ରୀଡ଼ା ସଂସଦ କୋଠାକୁ ଭାଙ୍ଗି ଏକ ଭବ୍ୟ ମିଟିଂ ହଲ୍‌ ସହ ନୂତନ କୋଠା ନିର୍ମାଣ କରିବା ଉପରେ ମଧ୍ୟ ବିଧାୟକ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଅନୁଗୋଳର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

ବୈଠକରେ ପୂର୍ବତନ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ନୀଳମଣି ରାଉତଙ୍କ ସମେତ ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଆଇନଜୀବୀ ପ୍ରଦୀପ କୁମାର ଦେବତା, ରୁଚିର କୁମାର ଦାସ, ପ୍ରଭାତ କୁମାର ଦାସ, ଜୟ ପଟ୍ଟନାୟକ, ଶକ୍ତି ପ୍ରସାଦ ପଟ୍ଟନାୟକ, ପ୍ରଭାତ କୁମାର ସିହ୍ନା, ପୂର୍ଣ୍ଣଚନ୍ଦ୍ର ରାଉତ, ବି.ବି. ରାଉତ ଓ ଯୁଧିଷ୍ଠିର ସେଠ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page