ସମୟ ଥାଇ ବଣ୍ଟନ ହେଲାନି, ଏବେ ପୋଡ଼ାଗଲା ଲକ୍ଷାଧିକ ଟଙ୍କାର ଔଷଧ

ବାଗଡ଼ିଆ – ରୋଗୀଙ୍କ ପାଇଁ ସରକାର ମାଗଣା ଔଷଧ ବ୍ୟବସ୍ଥା କରିଥିବା ବେଳେ ବାଗଡ଼ିଆ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳୁନଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ପୋଡ଼ି ନଷ୍ଟ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହାକୁ ନେଇ ରୋଗୀ, ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ତଳେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଔଷଧର ମିଆଦ ଯାଞ୍ଚ ନକରି ଜଣେ ରୋଗୀଙ୍କୁ ଏକ୍ସପାୟରୀ ମେଡିସିନ୍‌ ଦେଇଥିବା ଅଭିଯୋଗ ହୋଇଥିଲା। ରୋଗୀ ଔଷଧର ମିଆଦ ସରିଯାଇଥିବା ଜାଣିବା ପରେ ତାହାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରାଇଥିଲେ। ଏହାପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହୁରି ବହୁ ପରିମାଣର ଏକ୍ସପାୟରୀ ଔଷଧ ମହଜୁଦ ଥିବା ଜଣାପଡ଼ିଥିଲା।

ଅଭିଯୋଗ ଅନୁସାରେ, ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳୁନଥିବାରୁ ସେମାନେ ବାହାର ମେଡିସିନ୍‌ ଦୋକାନରୁ ଔଷଧ କିଣି ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। ସରକାର ମାଗଣା ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ସଠିକ୍‌ ରୂପାୟନ ହେଉନଥିବା ନେଇ ପ୍ରଶ୍ନ ଉଠିଛି।

ଏକ୍ସପାୟରୀ ଔଷଧ ଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଔଷଧଗୁଡ଼ିକୁ ନଷ୍ଟ କରିବା ପାଇଁ ମେଡିକାଲ ନିକଟରେ ଖୋଲାସ୍ଥାନରେ ପୋଡ଼ିଥିବା ଅଭିଯୋଗ ହୋଇଛି। ତେବେ ଏକ୍ସପାୟରୀ ଔଷଧ ନଷ୍ଟ କରିବାର ନିର୍ଦ୍ଦିଷ୍ଟ ନିୟମ ଥିବା ବେଳେ ଖୋଲାରେ ଏଭଳି ଔଷଧ ପୋଡ଼ିବା କେତେ ନିୟମସମ୍ମତ, ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ସମୟ ଥାଇ ମଧ୍ୟ ଔଷଧଗୁଡ଼ିକୁ ରୋଗୀଙ୍କ ମଧ୍ୟରେ ବଣ୍ଟନ କରାଗଲା ନାହିଁ କାହିଁକି? ମିଆଦ ସରିବା ପୂର୍ବରୁ ଔଷଧ ଫେରସ୍ତ କରାଯାଇନଥିଲା କାହିଁକି? ଔଷଧର ମିଆଦ ଯାଞ୍ଚରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଔଷଧ ଯୋଗାଣ, ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାରେ ଅବହେଳା ଥିଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page