ଅନୁଗୋଳ: ସହରରେ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ, ସାଧାରଣ ପରିସ୍ରାଗାର ସୁବିଧାର ସମ୍ପ୍ରସାରଣ ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ‘ଆମ ଅନୁଗୋଳ ଆମ ଗୌରବ’ ପକ୍ଷରୁ ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ମଙ୍ଗଳବାର ସଭାପତି ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ ଅଧିକ ଧୂଳି ଉଡ଼ୁଥିବା ସ୍ଥାନରେ ଆଣ୍ଟି-ସ୍ମଗ୍ ମେସିନ୍ ଓ ଜଳ ସିଞ୍ଚନ ବ୍ୟବସ୍ଥା, ବଜାର ଓ ବସ୍ଷ୍ଟାଣ୍ଡ ଭଳି ସ୍ଥାନରେ ପରିସ୍ରାଗାର ନିର୍ମାଣ ଏବଂ ଉପଲବ୍ଧ ଶୌଚାଳୟଗୁଡ଼ିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଦାବି କରିଥିଲେ।
ଏଥିସହ ବଜାର ଅଞ୍ଚଳରେ ସନ୍ଧ୍ୟାକାଳୀନ ଆବର୍ଜନା ସଂଗ୍ରହ ଓ ରାତ୍ରିକାଳୀନ ସଫେଇ ବ୍ୟବସ୍ଥା ପାଇଁ ପୌରପାଳିକାକୁ ଧନ୍ୟବାଦ ଜଣାଯାଇଥିଲା। ଦାବିଗୁଡ଼ିକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ଏହି ପ୍ରତିନିଧିମଣ୍ଡଳୀରେ ଉପସଭାପତି ଶେଖ୍ ରଫିକ୍, ସମ୍ପାଦକ ସୁଧୀର ରଞ୍ଜନ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

