ରାଜନୀତି କୁଆଡ଼େ ଗଲେ ରାଜାସାହେବ୍? Angul OnlineNovember 22, 2022November 22, 2022 ଅନୁଗୁଳ – ସାଂସଦଙ୍କ ଦେଖା ମିଳୁନି । ମାସେ କି ଦୁଇ ମାସ ନୁହେଁ । ବର୍ଷ ବର୍ଷ ଧରି ସାଂସଦ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାଁନ୍ତି । ସମସ୍ୟା ବୁଝି ଉନ୍ନୟନମୂଳକ କାର୍ଯ୍ୟ କରିବା ଦୂର କଥା , ଦଳୀୟ କର୍ମୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ ନାହିଁ । କେହି କେତେବେଳେ କୌଣସି କାର୍ଯ୍ୟକୁ ନିମନ୍ତ୍ରଣ କଲେ ପ୍ରତିନିଧିଙ୍କୁ ପଠାଇ କାମ ତୁଲାଇ ଦେଉଛନ୍ତି । ଏଭଳି ଅଣଦେଖା କର୍ମୀଙ୍କୁ ଅତିଷ୍ଠ କଲାଣି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ସାଂସଦଙ୍କ ଏଭଳି ଅଣଦେଖାକୁ ନେଇ ଦଳୀୟ ନେତାଙ୍କ ଉପରେ ଚାପ ମଧ୍ୟ ବଢ଼ୁଛି । ସାଂସଦଙ୍କ ଏତାଦୃଶ କାର୍ଯ୍ୟ ଆଗାମୀ ଦିନରେ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆଲୋଚନା ଜୋର୍ ଧରିଛି । ଏକଥା ଆମେ କହୁନୁ; ଛେଣ୍ଡିପଦା, ଆଠମଲ୍ଲିକ୍ ନିର୍ବାଚନ ମଣ୍ଡଳୀର କର୍ମୀ କହୁଛନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉକ୍ତ ଦୁଇ ନିର୍ବାଚନ ମଣ୍ଡଳୀର କୌଣସି ଦଳୀୟ କାର୍ଯ୍ୟରେ ସାଂସଦ ରାଜା ନିତିଶ ଗଙ୍ଗଦେବଙ୍କୁ ଦେଖିବାକୁ ପାଉନାହାଁନ୍ତି । ଯାହାକୁ ନେଇ କର୍ମୀମାନେ ଅସନ୍ତୋଷ ଜାହିର କରୁଛନ୍ତି । ବିଜେଡି ଦଖଲରେ ଥିବା ସମ୍ବଲପୁର ଲୋକସଭା କ୍ଷେତ୍ର ୨୦୧୯ ନିର୍ବାଚନରେ ବିଜେପି ଦଖଲକୁ ଆସିଥିଲା । ଖୁବ୍ କମ୍ ବ୍ୟବଧାନରେ ରାଜା ନିତିଶ ଗଙ୍ଗଦେବ ବିଜୟୀ ହୋଇଥିଲେ । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟ୍ ରାଜାସାହେବ୍ଙ୍କ ବିଜୟର ରାସ୍ତା ପରିସ୍କାର କରିଥିଲା ବୋଲି କୁହାଯାଇଥିଲା । ଏହା ପଛରେ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ରହିଥିଲା । ରାଜାସାହେବ୍ ସାଂସଦ ହେବା ପରେ କର୍ମୀଙ୍କ ମନ ଆକାଶ ଛୁଇଁ ଥିଲା । ଏଥର ଦୁଃଖ ଦୂର ହେଲା ବୋଲି ଆଶା ବାନ୍ଧିଥିଲେ । ହେଲେ ଦିନ ଗଡ଼ିବା ସାଙ୍ଗକୁ ଆଶା ମଉଳି ମଉଳି ଯାଉଛି । ରାଜାସାହେବ୍ ବିଭିନ୍ନ ସମୟରେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସମସ୍ୟା ବୁଝି ସମାଧାନ କରିବା ଦୂର କଥା; ବର୍ଷ ବର୍ଷ ଧରି ମାଟି ମାଡ଼ୁନାହାଁନ୍ତି । ଖୋଜିଲେ କି ଲୋଡ଼ିଲେ ମଧ୍ୟ ଦର୍ଶନ ମିଳୁନି । ପ୍ରତିନିଧିଙ୍କୁ ପଠାଇ କାମ ତୁଲାଇ ଦେଉଛନ୍ତି । ଅନ୍ୟପଟେ ବିଜେଡିର ଢେଙ୍କାନାଳ ସାଂସଦ ମହେଶ ସାହୁ ଘନଘନ ନିଜ ସଂସଦୀୟ କ୍ଷେତ୍ରର ଗାଁ ଗହଳି ଘୁରି ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି । ମେଳା ମହୋତ୍ସବଠୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମ, ସବୁଠି ନିଜର ଉପସ୍ଥିତି ଜାହିର୍ କରୁଛନ୍ତି । ଏହା ଦେଖି ସମ୍ବଲପୁର ଲୋକସଭା କ୍ଷେତ୍ରର କର୍ମୀଙ୍କ ମୁହଁ ଶୁଖି ଯାଉଛି । ସାଂସଦଙ୍କୁ ନେଇ ମୁହଁ ଟାଣ କରିବାକୁ ଜୁ ପାଉନି । ନିର୍ବାଚନ ସମୟରେ ସାଂସଦ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନ ହୋଇନାହିଁ । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ଭୋଟରଙ୍କ ନାନା ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ୁଛି । ୨୦୨୩ ଶେଷ ଆଡ଼କୁ ସାଧାରଣ ନିର୍ବାଚନ ତାତି ଜୋର୍ ଧରିବ । ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଲାଣି କହିଲେ ଚଳେ । ଏଥର କେଉଁ ମୁହଁ ନେଇ ଦଳୀୟ ନେତା ଓ କର୍ମୀ ଭୋଟରଙ୍କ ନିକଟକୁ ଯିବେ ସେ ଚିନ୍ତାରେ ପଡ଼ିଛନ୍ତି । ସାଂସଦଙ୍କୁ ନାଁ ମୁହଁ ଖୋଲି କହିପାରୁଛନ୍ତି, ନାଁ ଅଣଦେଖାକୁ ସହି ପାରୁଛନ୍ତି । ନିଜ ନିଜ ମଧ୍ୟରେ ଅସନ୍ତୋଷ ଜାହିର୍ କରିବା ଛଡ଼ା ଅନ୍ୟ କିଛି ଉପାୟନାହିଁ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦଳୀୟ ନେତା ମଧ୍ୟ ନିରବ ଓ ନାଚାର । ଏହି ଅଣଦେଖା ଆଗାମୀ ନିର୍ବାଚନରେ ମହଙ୍ଗା ସାବ୍ୟସ୍ତ ହେବ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । Advertisement
ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ – ମା’ଙ୍କ ନେଲେ ଆଶିଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…