କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଖୋଲା କୋଇଲା ଖଣିରେ କୋଇଲା ପରିବହନକୁ ନେଇ ବଡ଼ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଖଣିରେ ନିୟୋଜିତ ଠିକା ସଂସ୍ଥା ଏ ଆଣ୍ଡ ଏ କମ୍ପାନୀ ଦ୍ୱାରା ଗାଡ଼ିର ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ କୋଇଲା ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ତାଳଚେର ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ୧୩ଟି ଗାଡ଼ିକୁ ମୋଟ ୮ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ଧରି କଣିହାଁ ଖୋଲା କୋଇଲା ଖଣିରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏ ଆଣ୍ଡ ଏ କମ୍ପାନୀର କୋଇଲା ପରିବହନକୁ ନେଇ ଅନିୟମିତତା ହେଉଥିବା ଅଭିଯୋଗ ଉଠିଆସୁଥିଲା। ଅଭିଯୋଗ ଅନୁସାରେ, ଖଣି ପରିସରରେ କୋଇଲା ବୋଝେଇ ଟ୍ରକ୍ଗୁଡ଼ିକରେ ନିର୍ଦ୍ଧାରିତ କ୍ଷମତାଠାରୁ ପ୍ରାୟ ଦୁଇଗୁଣ ଅଧିକ କୋଇଲା ପରିବହନ କରାଯାଉଥିଲା। ଏହି ଅନିୟମିତତା ସମ୍ପର୍କରେ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନ ଅବଗତ ଥିବା ସତ୍ତ୍ୱେ କାହିଁକି ନିରବ ରହିଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ତେବେ ଏହି ଅଭିଯୋଗ ସମ୍ପର୍କରେ ଜନପ୍ରତିନିଧିମାନେ ଜାଣିବା ପରେ ଖଣିରୁ କୋଇଲା ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ଏହାପରେ ତାଳଚେର ଆର୍ଟିଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ପରିବହନ ବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ କୋଇଲା ବୋଝେଇ ହୋଇଥିବା ଜଣାପଡ଼ିବା ପରେ ୧୩ଟି ଗାଡ଼ିକୁ ୮ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ପରିବହନ ବିଭାଗର ଏହି ଯାଞ୍ଚ ଓ ଜରିମାନା ପରେ ଜନପ୍ରତିନିଧିଙ୍କ ଅଭିଯୋଗକୁ ବଳ ମିଳିଥିବା ବେଳେ ଖଣି ପରିଚାଳନା ଓ ଠିକା ସଂସ୍ଥାର କାର୍ଯ୍ୟଶୈଳୀକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି।
ଏବେ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି ଯଦି ଓଭରଲୋଡିଂ ହେଉଥିଲା, ତେବେ ଖଣି କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗ କାହିଁକି ପୂର୍ବରୁ ପଦକ୍ଷେପ ନେଲେ ନାହିଁ? କେବଳ ଜରିମାନାରେ ଏହି ମାମଲା ସୀମିତ ରହିବ ନା ଦାୟିତ୍ୱରେ ଥିବା ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ? ଏବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା।

