ଛେଣ୍ଡିପଦା – ବିଶ୍ୱକର୍ମା ପୂଜା କଳସ ଯାତ୍ରା ସମୟରେ ବିନା ଅନୁମତିରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ଅନୁମତି ବିନା ଡିଜେ ଚଳାଉଥିବା ଏକ ଗାଡ଼ିକୁ ଛେଣ୍ଡିପଦା ପୋଲିସ ଅଟକ ରଖିଥିବା ବେଳେ, ଅନୁଗୋଳ ଆରଟିଓ ପକ୍ଷରୁ ୪୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ସୂଚନା ଅନୁଯାୟୀ, ବିଶ୍ୱକର୍ମା ପୂଜାକୁ ନେଇ ଅନୁଗୋଳ ଜିଲ୍ଲାରେ ଉତ୍ସବର ମାହୋଲ ଦେଖାଦେଇଛି। ବିଭିନ୍ନ ସ୍ଥାନରେ କଳସ ଯାତ୍ରା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଛେଣ୍ଡିପଦା ଅଞ୍ଚଳରେ ବିନା ଆବଶ୍ୟକ ଅନୁମତିରେ ଡିଜେ ବ୍ୟବହାର କରୁଥିବା ଏକ ଗାଡ଼ିକୁ ପୋଲିସ ଅଟକାଇଥିଲା।
ପରେ ଘଟଣା ସମ୍ପର୍କରେ ଅନୁଗୋଳ ଆରଟିଓ ପକ୍ଷରୁ ଯାଞ୍ଚ କରାଯାଇ ୪୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଏହି ଘଟଣା ପରେ ଉତ୍ସବ ପାଳନ ସମୟରେ ନିୟମ ମାନିବାକୁ ପୋଲିସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି।
ପୋଲିସର କହିବା ଅନୁସାରେ, ଉଚ୍ଚ ସ୍ୱରରେ ଏବଂ ବିନା ଅନୁମତିରେ ଡିଜେ ବଜାଇବା ଦ୍ୱାରା ରୋଗୀ, ବୟସ୍କ, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିମାନେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଉତ୍ସବ ପାଳନ ସମୟରେ ଅନ୍ୟମାନଙ୍କ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଆବଶ୍ୟକ ଅନୁମତି ନେଇ ଡିଜେ ବ୍ୟବହାର କରିବାକୁ ଅନୁଗୋଳ ପୋଲିସ ଅନୁରୋଧ କରିଛି।

